ଭ୍ରମଣ

ତନ୍ତ୍ର ସାଧନାର ମହାପୀଠ: ରାଣୀପୁର-ଝରିଆଲର ଚଉଶଠି ଯୋଗିନୀ ମନ୍ଦିର

Reading Time: 1 minutes

ranipur-4

କେଦାର ମିଶ୍ର

ରାଣୀପୁର-ଝରିଆଲ, ବଲାଂଗିର ଜିଲ୍ଲାର ଟିଟିଲାଗଡ ସହର ପାଖାପାଖି ଦୁଇଟି ଛୋଟିଆ ଗାଁ। ଏ ଦୁଇ ଗାଁ କୁ ସଂଯୋଗ କରୁଛି ଏକ ବିଶାଳକାୟ ପଥର ଚଟାଣ । ଚଟାଣ ର କେନ୍ଦ୍ରରେ ଛାତ ନଥିବା ଏକ ଗୋଲାକାର ମନ୍ଦିର। ଏ ପ୍ରକାର ମନ୍ଦିର ଓଡିଶାର ସ୍ଥାପତ୍ୟ ଇତିହାସରେ ମାତ୍ରା ଦୁଇଟି ।

ରାଣିପୁର-ଝରିଆଲ ବ୍ୟତୀତ ଖୁର୍ଧା ଜିଲ୍ଲାର ହୀରାପୁର ଠାରେ ଏମିତି ଆଉ ଏକ ମନ୍ଦିର ରହିଛି। ତେବେ ହୀରାପୁର ମନ୍ଦିର ଆକାରରେ ଯଥେଷ୍ଟ ଛୋଟ। ରାଣିପୁର-ଝରିଆଲର ବିଶାଳକାୟ ପଥର ଉପରେ ନିର୍ମିତ ଏହି ବିଚିତ୍ର ଦେଉଳର ନାମ ଚୌଶଠି ଯୋଗିନୀ ମନ୍ଦିର।

ranipur5ଭାରତୀୟ ତନ୍ତ୍ର ପରମ୍ପରାରେ ଯୋଗିନୀ ହେଉଛନ୍ତି ଦେବୀଂକ ଅଂଗରୁ ଜାତ ହୋଇଥିବା ଲୌକିକ ଶକ୍ତି। କୌଳ ତନ୍ତ୍ର ଅନୁସାରେ ଦେବୀଂକୁ କୁଳ ଓ ଶିବଂକୁ ଅକୁଳ ବୋଲି କୁହାଯାଇଥାଏ । ଶିବଂକୁ କେନ୍ଦ୍ରକରି ଦେବୀଙ୍କର ୬୪ ସ୍ଵରୂପ ଯୋଗିନୀ ରୂପରେ ନୃତ୍ୟ କରୁଥାନ୍ତି। ଉତ୍ତର ଓ ପୂର୍ବ ଭାରତରେ ମାତ୍ର କେତୋଟି ଯୋଗିନୀ ମନ୍ଦିର ରହିଛି।

ଶାହଡୋଲ୍, ଖଜୁରାହୋ, ଭେଡାଘାଟ ଓ ଗୋଆଲିଅର ସମେତ ଓଡିଶାରେ ଦୁଇଟି ୬୪ ଯୋଗିନୀ ମନ୍ଦିର ରହିଛି । ଭାରତୀୟ ତନ୍ତ୍ର ପରମ୍ପରାର ଏକ ଅଳ୍ପଚର୍ଚିତ କିନ୍ତୁ ଅଧିକ ଗୁରୁତ୍ଵ ବହନ କରୁଥିବା ୬୪ ଯୋଗିନୀ ମନ୍ଦିରକୁ ନେଇ କିଛି କଥା-

ranipur-2୧। ଯୋଗିନୀ ତନ୍ତ୍ରକୁ କୌଳ ତନ୍ତ୍ର ବା ସୋମ ତନ୍ତ୍ର ବୋଲି କୁହାଯାଇଥାଏ। ଶୈବ-ତନ୍ତ୍ର ର ଏକ ପ୍ରମୁଖ ଧାରାକୁ ମତ୍ତ ମୟୂର ଶାଖା ବୋଲି କୁହାଯାଉଥିଲା ।

ଏହି ଧାରାର ଜଣେ ପ୍ରମୁଖ ସାଧକ “ଗଗନଶିବ” ରାଣିପୁର –ଝରିଆଲରେ ସାଧନା କରିଥିଲେ ବୋଲି ଏକ ଶିଳାଲିପି ରହିଛି। ଏଠାରେ ସୋମେଶ୍ବର ଶିବଂକ ପୀଠ ରହିଛି ଓ ଏଥିରେ ଥିବା ପୁଷ୍କରିଣୀକୁ ସୋମତୀର୍ଥ ବୋଲି ନାମିତ କରାଯାଇଛି।

ତେବେ ଗଗନଶିବ ଯୋଗିନୀ ସାଧକ ଥିଲେ କି ନାହିଁ ତାହାର ପ୍ରମାଣ ମିଲେ ନାହିଁ ।

ranipur7୨. ଯୋଗିନୀ ସାଧନା ସହିତ କୌଳ ଓ ଲୌକିକ ସମନ୍ବୟ ରହିଛି। ଯୋଗିନୀ ମାନେ ମୂଳତଃ ଲୋକ ଦେବୀ।

ଏମାନେ ବଶୀକରଣ (ଅନ୍ୟକୁ ନିଜ ବଶ କରି ରଖିବା),ଗୁତିକାଂଜନ (ଏକ ପ୍ରକାର କଜଳ ଯାହା ଲଗାଇଲେ ଗୁପ୍ତ ଧନ ଦୃଶ୍ୟ ହୁଏ ), ଧାତୁବାଦ ( ଧାତୁ କୁ ବହୁମୂଲ୍ୟ ସୁନା ରେ ରୂପାନ୍ତର କରିବାର କଳା ), ବିଦଗ୍ଧ (ଶତ୍ରୁ କୁ ଧ୍ବଂସ କରିବାର କଳା ), ଅଗ୍ନିସ୍ତମ୍ଭନ(ନିଆଂକୁ ଆୟତ୍ତ କରିବାର କଳା), ଖେଚରୀ ବିଦ୍ୟା ( ଆକାଶରେ ଭ୍ରମଣ କରିବାର କଳା) ଇତ୍ୟାଦି ସାଧନା ର ମହାଦେବୀ ଭାବରେ ସାଧକ ଦ୍ଵାରା ପୂଜା ପାଇଥାନ୍ତି।

୩. ରାଣିପୁର –ଝରିଆଲ ର ୬୪ ଯୋଗିନୀ ମନ୍ଦିର ସହିତ ଏଠାରେ ଆହୁରି ଅନେକ ଶିବ, ଶକ୍ତି ଓ ଭୈରବଂକ ମନ୍ଦିର ରହିଛି । ଏହା ବ୍ୟତୀତ ତପସ୍ୟା ଲାଗି ଅନେକ କୋଟର ଓ ଗୁମ୍ଫା ମଧ୍ୟ ଏଠାରେ ଦେଖିବାକୁ ମିଳେ । ଏହାର ଅଳ୍ପ ଦୂରରେ ଇଟା ରେ ନିର୍ମିତ ବିରଳ ଇନ୍ଦ୍ରଲାଠ ମନ୍ଦିର ରହିଛି।

ranipur-jharial୪. ଯୋଗିନୀ ମନ୍ଦିର ନବମ ଶତାବ୍ଦୀରେ ସୋମବଂଶି ରାଜାମାନେ ନିର୍ମାଣ କରିଥିବାର ଅନୁମାନ କରାଯାଏ। ସୋମ ବଂଶି ମାନେ ଉତ୍ତର ଦିଗରୁ ଆସିଥିବାରୁ ଓ ଉତ୍ତର ଭାରତରେ ଏକ ପ୍ରତଷ୍ଠିତ ଯୋଗିନୀ ପରମ୍ପରା ରହିଥିବାରୁ, ଏହା ଅନେକାଂଶରେ ଠିକ ମନେ ହୁଏ ।

୫. ଭାରତର ଅନ୍ୟାନ୍ୟ ଯୋଗିନୀ ମନ୍ଦିର ତୁଳନାରେ ରାଣୀପୁର୍-ଝରିଆଲର ନିର୍ଦିଷ୍ଟ ସ୍ଵାତନ୍ତ୍ର ରହିଛି । ଭରତ ମୁନି ପ୍ରଣୀତ ନାଟ୍ୟ ଶାସ୍ତ୍ର ରେ ବର୍ଣିତ ବିବିଧ କରଣ ରେ ଏଠି କାର ଯୋଗିନୀ ମାନେ ଉଭା ହୋଇଛନ୍ତି । କେନ୍ଦ୍ରରେ ଏକ ବିଶାଳକାୟ ଶିବ ପ୍ରତିମା ନୃତ୍ୟ ଉଦ୍ୟତ ଭଂଗୀ ରେ ଅଛନ୍ତି।

ଶିବଙ୍କର ସତେ ଯେମିତି ମନ୍ଦିର ଟି ଏକ ମେଳ ନୃତ୍ୟର ଭ୍ରମ ସୃଷ୍ଟି କରୁଛି।

୬. କେନ୍ଦ୍ରାଧିପତି ଶିବଂକର ତିନୋଟି ମୁଖ, ଆଠ ହସ୍ତ ରହିଛି ଓ ତାଂକ ସହ ଗଣେଶ ଓ ନନ୍ଦୀ ମଧ୍ୟ ରହିଛନ୍ତି । ୬୪ ଯୋଗିନୀ ମଧ୍ୟରୁ କିଛି ଯୋଗିନୀ ମୂର୍ତୀ ଏବେ ଆଉ ଦୃଶ୍ୟମାନ ହେଉ ନାହାନ୍ତି ।

୭. ତେବେ ହିରାପୁର ଯୋଗିନୀ ଗଣ ଯେମିତି ଦେଖିବାକୁ ସୁନ୍ଦରୀ, ରାଣିପୁର –ଝରିଆଲ ରେ ସେମାନେ ଅତୀବ ଭୟଂକରୀ। ପ୍ରାୟ ଯୋଗିନୀ ତ୍ରିଶୁଳ, ପାଶ ଓ ମାଳ ଧାରଣ କରନ୍ତି। ପ୍ରାୟ ୧୫ ଜଣ ଯୋଗିନୀ ମୁଖ ରେ ପଶୁ ବେଶ ଧାରଣ କରିଛନ୍ତି । ବିରାଡି ମୁହଁ ରେ ମାର୍ଜାରୀ, ହାତୀ ମୁହଁ ରେ ଗଣେଶାନୀ, ବରାହ ମୁହଁରେ ବାରାହୀ ଇତ୍ୟାଦି ।

ranipur-main୮. ସ୍ଥାପତ୍ୟ ଦୃଷ୍ଟିରୁ ଏହି ମନ୍ଦିର ଯେତିକି ଗୁରୁତ୍ବପୂର୍ଣ ସେଇ ସମୟର ଇତିହାସ ଓ ସଂସ୍କୃତି ଅଧ୍ୟୟନ ଲାଗି ମଧ୍ୟ ଯୋଗିନୀ ମୂର୍ତିର ସାଂକେତିକ ଗୁରୁତ୍ବ ରହିଛି। ବୌଦ୍ଧ ତନ୍ତ୍ର ସହ ଶୈବ ତନ୍ତ୍ର ର ସମନ୍ଵୟ ଯୋଗିନୀ ମନ୍ଦିରରେ ଦେଖିବାକୁ ମିଳେ ।

୯. ୫୦ ଫୁଟ୍ ପରିଧି ବିଶିଷ୍ଟ ଗୋଲାକାର ଯୋଗିନୀ ମନ୍ଦିରର ୬୪ ଟି ଖୋପରେ ରହିଥିବା ଯୋଗିନୀ ଗଣ ମୂର୍ତ୍ତି ସବୁ କ୍ଷୟୀଷ୍ଣୁ କୁଂଡା ପଥରରେ ନିର୍ମିତ ହୋଇଥିବାରୁ, ସମୟ କ୍ରମେ ମୂର୍ତ୍ତି ସ୍ଥାପତ୍ୟ ଲିଭି ଲିଭି ଆସୁଛି । ଏହାର ସଂରକ୍ଷଣ ନିତାନ୍ତ ଜରୁରୀ । ସେହିପରି ମୂର୍ତ୍ତିଚୋର ମାନେ କିଛି ଯୋଗିନୀ ମୂର୍ତ୍ତି ଖୋଲି ନେଇ ସାରିଲେଣି ।

୧୦. ପର୍ଯ୍ୟଟନ ତଥା ଇତିହାସ ଦୃଷ୍ଟିରୁ ରାଣିପୁର-ଝରିଆଲ ର କୌଣସି ବିକଳ୍ପ ନାହିଁ । ହେଲେ ଏହାର ବିକାଶ ଲାଗି କାହାର ଆନ୍ତରିକତା ଦେଖିବାକୁ ମିଳୁନି। ଟିଟିଲାଗଡ ଓ କଂଟାବାଂଜୀ ସହର ଠାରୁ ଏଠିକି ପହଞ୍ଚିବାକୁ ଘଣ୍ଟାଏ ସମୟ ଲାଗେ । ଏହାକୁ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ର ମର୍ଯ୍ୟାଦା ମିଳିଥିଲେ ବି ଆବଶ୍ୟକୀୟ ଭିତ୍ତିଭୂମି ର ବିକାଶ କରାଯାଇ ନାହିଁ ।

ସୌଜନ୍ୟ: ଓଡିଶା ଡଟ କମ

Most Popular

To Top