ମନୋରଞ୍ଜନ

ରଙ୍ଗବତୀର ମହା ନାୟକ ଓ କେତେକ ବ୍ୟଥା

Reading Time: 1 minutes

jitendriya-haripal

ରାଜୀବ ସଗରିଆ

I never think of myself as a professional. I am an artist, not a performer. This is a pride, not a profession. It is art, not employment. It is a Dom tradition too. What the people on radio and television call Sambalpuri geet is gaana. The music of the Gaana people, of the Dom people. (ଶ୍ରୀ ଜିତେନ୍ଦ୍ରିୟ ହରିପାଲ, ଦି ହିନ୍ଦୁ- ମଇ ୨୭, ୨୦୦୧ ରବିବାର ସଂସ୍କରଣ- ‘And the singer sings his song’ P Sainath..)

ଚାଲିଶ ବର୍ଷ ତଳର କଥା… ଆକାଶବାଣୀ ସମ୍ବଲପୁର ଜିତେନ୍ଦ୍ରିୟ ହରିପାଲ ଓ କ୍ରିଷ୍ଣା ପଟେଲଙ୍କୁ ନେଇ ଗୋଟିଏ ଗୀତର ରେକର୍ଡ଼ିଂ କଲେ ‘ରଙ୍ଗବତୀ’ । ରେକର୍ଡ଼ିଂ ସରିଲା ପରେ ଗୀତଟି ବିବାଦୀୟ ହୋଇପଡ଼ିଲା ।

ଗୀତଟିରେ ଅନେକ ନିଜ ନିଜର ନାଁ ଯୋଡ଼ିବାକୁ ଚାହିଁଲେ । ଏହି ବିବାଦ ଦୁଇବର୍ଷ ଚାଲିବା ପରେ ୧୯୭୯ ମସିହାରେ ଗୀତଟି ବାଜିଲା । ସେହି ଦିନୁ ଗୀତଟି ତାର ସ୍ଥିତି କି ଲୋକପ୍ରିୟତା ହରେଇ ନାହିଁ ।

ଅନେକ ବାଦବିବାଦ ସତ୍ତ୍ୱେ ଗୀତଟିକୁ ସବୁଠୁ ଉର୍ଦ୍ଧ୍ଵରେ ରଖି ଜନସାଧାରଣ ଏହାର ମାନ ନିର୍ଦ୍ଧାରଣ କରି ସାରିଛନ୍ତି । ରଙ୍ଗବତୀ, ଜିତେନ୍ଦ୍ରିୟ ହରିପାଲ ଓ କ୍ରିଷ୍ଣା ପଟେଲ ସବୁ ବାଦବିବାଦ ଠୁଁ ଉର୍ଦ୍ଧ୍ଵରେ ଜନମାନସର ମଉଡ଼ମଣି ହୋଇ ରହିଆସିଛନ୍ତି ।

ଜିତେନ୍ଦ୍ରିୟ ହରିପାଲଙ୍କୁ କୌଣସି ବିଶେଷଣରେ ବାନ୍ଧିରଖିବା କଷ୍ଟ । ସମ୍ବଲପୁର ରେଳଷ୍ଟେସନର ଗୋଟିଏ ଶୀତରାତି । ଗୋଟିଏ ରେକର୍ଡିଂ ପାଇଁ କଳାକାରମାନେ ଟ୍ରେନକୁ ଅପେକ୍ଷା କରିଥାନ୍ତି । ଜିତେନ୍ଦ୍ରିୟ କହିଲେ ମୋର କାମ ଅଛି ଘରକୁ ଯାଇ ଆସୁଛି ।

ଟ୍ରେନ ଆସିବା ସମୟ ହୋଇନଥାଏ । ସମ୍ବଲପୁର ରେଳ ଷ୍ଟେସନର ଅନତିଦୂରରେ ଥିବା ଗୋଟିଏ ଝୁପୁଡ଼ି ଘରକୁ ଗଲେ । ଯା’ହା କି ଜିତେନ୍ଦ୍ରିୟଙ୍କ ନିଜ ଘର । ଆଜି ବି ସପରିବାର ସେଠାରେ ରହନ୍ତି ।

ସେ ଭିତରକୁ ଯାଇ ଗୋଟିଏ ସାଲ୍(କମ୍ବଳ) ନେଇଆସିଲେ । ଷ୍ଟେସନର ଗୋଟିଏ କୋଣରେ ଶୋଇ ଶୀତରେ ଥରୁଥିବା ଗୋଟିଏ ଭିକାରୀକୁ ଘୋଡ଼ିଦେଲେ । ପୁନଃ ନିଜ ସାଥି କଳାକାରଙ୍କ ନିକଟକୁ ଆସି ଠିଆହେଲେ । କହିଲେନି ଯେ କାହିଁକି ସେ ଘରକୁ ଯାଇଥିଲେ । ଝୁପୁଡ଼ି ଘରେ ରହୁଥିବା ଜିତେନ୍ଦ୍ରିୟ ସେ ସାଲ୍ ଟିକୁ କଟକରୁ କିଣିଥିଲେ ତିନିଶହ ଟଙ୍କାଦେଇ ।

ଏହି ନିର୍ଲିପ୍ତ କଳାକାରଙ୍କ ବାପା କେନ୍ଦୁପତ୍ର ବିଭାଗର କର୍ମଚାରୀ ମାନଧାତା ହରିପାଲ । ଜନ୍ମ ଗୋଟିଏ ଦଳିତ ପରିବାରରେ । ଦଳିତ, ପଶ୍ଚିମ ଓଡ଼ିଶାର ସାମାଜିକ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିଲେ ମଧ୍ୟ ପୁଞ୍ଜି ଓ ସାମନ୍ତ ରାଜନୀତିର ନିକୃଷ୍ଟ ସ୍ତରରେ ରହିଥିବା ଏକ ନିଷ୍ପେଷିତ ଗୋଷ୍ଠୀ ।

କଥାଟିକୁ ଟିକିଏ ସ୍ପଷ୍ଟ କରାଯାଉ…

ଚାଣକ୍ୟ ‘ଅର୍ଥଶାସ୍ତ୍ର’ କହେ ଇନ୍ଦ୍ରବଣ(ପଶ୍ଚିମ ଓଡ଼ିଶାସୀମାଠୁ ଟିକିଏ ଅଧିକ) ଅଜେୟ କନ୍ଧଭୂମି । ଏହି ଅଜେୟ କନ୍ଧଭୂମି ନିଜର ରାଜନୈତିକ ମୂଲ୍ୟବୋଧକୁ ଗୋଟିଏ ଧାଡ଼ିରେ ବ୍ୟାଖ୍ୟା କରେ… ‘କନ୍ଧ ରଜା, ଡମ ପରଜା’ ।

ଡମ ସମ୍ପ୍ରଦାୟର ମୂଳ ହେଲା ବୟନ ଓ ବାଦନ । ଆଜି ବୟନ ତାର ସ୍ଥିତି ରଖିପାରି ନାହିଁ ଏବଂ ବାଦନ ତାର ସ୍ଥିତି ହରେଇବାକୁ ଯାଉଛି ।

ଊନବିଂଶ ଶତକର ଶେଷଭାଗରେ ଡମଗୋଷ୍ଠୀଙ୍କୁ ଅପରାଧୀ ଗୋଷ୍ଠୀଭାବରେ ସରକାର ଓ ରାଜତନ୍ତ୍ର ଆଇନତଃ ଘୋଷଣା କଲେ । କୌଣସି ଅପରାଧ କି ଚୋରୀ ହେଲେ ଡମପଡ଼ାକୁ ଯାଇ ଘର ଜାଳି ଦେଉଥିଲେ କି ଲୋକଙ୍କୁ ଧରି ମାଡ଼ ଦେଉଥିଲେ ।

ଜୟପୁର ରାଜତନ୍ତ୍ର ବେଠି ବେଗାଡ଼ି ଇତ୍ୟାଦି ନାମରେ ଅନେକ ପ୍ରକାରର କର ଆଦାୟ କରୁଥିଲେ । ଡମ ସମ୍ପ୍ରଦାୟର ଲୋକଙ୍କୁ କୁତିଆ, ବାହାବନ୍ଧା, ବେଠିଆ ଆଦି ନାମରେ ତାଙ୍କର ଶ୍ରମ ଶୋଷଣ କରୁଥିଲେ ।

ସେ ସମୟରେ ରାଜତନ୍ତ୍ରର ମୂଳ ଆୟ ଥିଲା ଚାଷଜମିରୁ । ଜମିର ଅଧିକ ଆୟ କରାଯିବା ଯୋଜନା ତିଆରି କରି ରାଜାମାନେ ବାହାରୁ କୃଷକ ଗୋଷ୍ଠୀଙ୍କୁ ଆଣିଲେ । ସେମାନଙ୍କୁ ବହୁ ମୂଲ୍ୟବାନ ଜମିଦେଇ ଥଇଥାନ କଲେ ।

ଫଳରେ ସ୍ଥାନୀୟ କନ୍ଧମାନେ ଉଦବାସ୍ତୁ ହେଲେ । କନ୍ଧମେଳି କରି ଆନେ୍ଦାଳନ କଲେ । ଏହି ସମୟର କଥା; ଚାଷଜମି ତିଆରି ପାଇଁ ଜଙ୍ଗଲ ସଫା କରାଗଲା । ଜଙ୍ଗଲରୁ ଏକ ବିଶେଷ ଗଛ କ’ଗଛ (ଅର୍ଜ୍ଜୁନ) ମଧ୍ୟ ବହୁସଂଖ୍ୟାରେ କଟାଗଲା ।

ଏହି ଗଛରେ ଏକ ପୋକ ରହୁଥିଲେ । ତା’ର କୋଷରୁ ଏହି ସଂପ୍ରଦାୟର ଲୋକେ ପାଟସୂତା ସଂଗ୍ରହ କରୁଥିଲେ ଯାହା ଆଉ ପରବର୍ତ୍ତୀ ସମୟରେ ସେମାନେ କରି ପାରିଲେ ନାହିଁ ଯଦିଓ  ଏହି ସୂତାରେ ତିଆରି ପାଟବସ୍ତ୍ର ସେ ସମୟରୁ ଆଜିପର୍ଯ୍ୟନ୍ତ ବିଶ୍ୱବଜାରରେ ନିଜର ସ୍ଥିତି କି ଖ୍ୟାତି ହରାଇ ନାହିଁ ।

ଫଳରେ ଏହି ବୃତ୍ତିସହ ଜଡ଼ିତ ସମ୍ପ୍ରଦାୟ ଉଦବାସ୍ତୁ ହୋଇ ଦେଶାନ୍ତର ଗଲେ । ସେହି ସ୍ଥାନକୁ ଗଲେ ଯେଉଁଠି ଏହି ଗଛର ପ୍ରାବଲ୍ୟ ଥିଲା । ଅନ୍ୟକ୍ଷେତ୍ରରେ ସମ୍ବଲପୁର ଜେଲରେ ବିଭିନ୍ନ ଆଳରେ ଡମମାନଙ୍କୁ ରଖାଗଲା ।

‘ଆସାମ ଟି ବୋର୍ଡ଼’ ନାମରେ ଏକ କାର୍ଯ୍ୟାଳୟ ସମ୍ବଲପୁରରେ ସ୍ଥାପନ କରାଗଲା । ଆସାମ ଟି ବୋର୍ଡ଼ କାର୍ଯ୍ୟାଳୟରୁ ଏହି ଦଳିତ ଡମ କଏଦୀମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ସପରିବାର ଆସାମ ନିଆଗଲା । ଯେଉଁମାନେ ଆସାମ ଚା ବଗିଚାରେ ବେଠି ଖଟିଲେ ।…(କିଶୋର ମେହେରଙ୍କ ଗବେଷଣା ସନ୍ଦର୍ଭ)

ଏହାର ପୂର୍ବକାହାଣୀ ଏହିପରି; ଡମ ପରିବାରର ଉପସ୍ଥିତି ବିନା ଗାଁରେ କୌଣସି ଶୁଭକାର୍ଯ୍ୟ ହୋଇପାରୁନଥିଲା । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ; ଜାନିଯାତ୍ରା କି ନ୍ୟାୟନିଶାପ ବେଳେ ବିନା ଡମରେ କାମ ହେଉନଥିଲା ।

ସୁତରାଂ ସଂସ୍କୃତିର ପୁରା ଦାୟିତ୍ୱ ଡମ ସମ୍ପ୍ରଦାୟ କାନ୍ଧରେ ନ୍ୟସ୍ତ ଥିଲା । ଏମାନେ କାହିଁକି ଓ କିପରି ଦଳିତ ହେଲେ, ଏହା ଗବେଷଣାସାପେକ୍ଷ ।

ଏହିପରି ଏକ ଦଳିତ ପରିବାରରେ ଜିତେନ୍ଦ୍ରିୟଙ୍କ ଜନ୍ମ । ସେହିପରି ରଙ୍ଗବତୀ ମିତ୍ରଭାନୁ ଗୌନ୍ତିଆଙ୍କ ଦ୍ୱାରା ଲିଖିତ ତିନୋଟି ଗୀତ ମଧ୍ୟରୁ ଅନ୍ୟତମ ଯାହାକୁ ୧୯୭୭ ମସିହାରେ ସମ୍ବଲପୁର ରେଡ଼ିଓ ଷ୍ଟେସନର ‘କୁରେଫୁଲ ଝୁମ୍ଫା’ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ କରିଥିଲେ ।

ଯାହାକୁ ଫକିର ପଟ୍ଟନାୟକ ଓ କମଳକୁମାରୀ ବେହେରା ଗାଇବାର ଥିଲା । କୌଣସି ବ୍ୟକ୍ତିଗତ ସମସ୍ୟା ଯୋଗୁଁ ଏହି ଗୀତକୁ ଜିତେନ୍ଦ୍ରିୟ ଓ କ୍ରିଷ୍ଣା ପଟେଲ ଗାଇଲେ ।

କଲିକତାର INDRECO କମ୍ପାନୀ ଏହି ଗୀତର ରେକର୍ଡ଼ିଂ କଲା ।ଗୀତଟି ସୀମା ସରହଦ ଡେଇଁ ଭାଷା ସଂସ୍କୃତି ଓ ବୟସ ଊଦ୍ଧ୍ୱର୍ରେ ନିଜ ଖ୍ୟାତିର ଜୟଯାତ୍ରା ବଜାୟ ରଖିଲା । ରଙ୍ଗବତୀ, ଜିତେନ୍ଦ୍ରିୟ ଓ କ୍ରିଷ୍ଣା ପଟେଲ ଜନମାନସର ମଉଡ଼ମଣି ହୋଇଗଲେ ।

ଅଶି ଦଶକରେ ରଙ୍ଗବତୀର ରେକର୍ଡ଼ ପ୍ଲେଟ ଲକ୍ଷ ଲକ୍ଷ ସଂଖ୍ୟାରେ ବିକ୍ରି ହେଲା । ଇନେର୍କୋ କମ୍ପାନୀ ଏହାର ବଜାର ପାଇଁ ଗ୍ରାମଫୋନ କମ୍ପାନୀକୁ ଦେଇଦେଲା ଓ କମ୍ପାନୀଟି ବନ୍ଦ ହୋଇଗଲା ।

ଦଶ,ପନ୍ଦର ବର୍ଷର ଏହି କମ୍ପାନୀ ଇତିହାସ ବଦଳି ସାରିଥିଲା । ସେ ସମୟରେ ଏହି କମ୍ପାନୀ ଜିତେନ୍ଦ୍ରିୟଙ୍କ ସହ ଦଶବର୍ଷର ଚୁକ୍ତି କରିସାରିଥିଲା । ଫଳରେ ଜିତେନ୍ଦ୍ରିୟ ଚାହିଁଲେ ବି ଅନ୍ୟ କମ୍ପାନୀରେ ଗାଇ ପାରିଲେ ନାହିଁ କି ନିଜର ଅନ୍ୟ ଗୀତ କେଉଁଠି ରେକର୍ଡ଼ କରିପାରିଲେ ନାହିଁ ।

ଜଣେ ଗାୟକର ଗୀତ ସୀମା ସରହଦ ଡେଇଁ ସାରି ବିଖ୍ୟାତ ହୋଇଯାଉଥିବାବେଳେ ଗାୟକଜଣକ ବନ୍ଧା ହୋଇ ରହିଲେ । କମ୍ପାନୀମାଲିକର ବିବେକ ବି କେବେ କହିଲା ନାହିଁ ଯେ ଜିତେନ୍ଦ୍ରିୟ କୌଣସି ବ୍ରାଣ୍ଡକୁ ଅପେକ୍ଷା କରେ ନାହିଁ ।

ସେ ଜନମାନସର କଳାକାର । ଡମଜାତି ପାଇଁ ଏହା ନୂଆକଥା ନୁହେଁ । ଗଣା ବା ଡମ ସମ୍ପ୍ରଦାୟର ଲୋକଙ୍କୁ ବହାବନ୍ଧା ରଖୁଥିଲେ । କୌଣସି ମୂଲ୍ୟ ପ୍ରତିବଦଳରେ ମାଲିକ ଜଣେ ଡମ ଲୋକକୁ ବାହାବନ୍ଧା ରଖିବ କିଛିବର୍ଷ ପାଇଁ ବା ତା’ର ଶ୍ରମକୁ ବ୍ୟବହାର କରିପାରୁଥିବା ପର୍ଯ୍ୟନ୍ତ ।

ବାହା ବା ବାହୁ ଶ୍ରମଶକ୍ତିର ପ୍ରତୀକ । ସୁତରାଂ ସମସ୍ତ ଶ୍ରମ ମାଲିକପାଇଁ ଉତ୍ସର୍ଗ ହେବ କେବଳ । ଜିତେନ୍ଦ୍ରିୟ ବି ବାହାବନ୍ଧା ରହିଲେ । ଜିତେନ୍ଦ୍ରିୟଙ୍କ ପୈତୃକ ଘର ଭାଙ୍ଗିଗଲା । ବହୁ କଷ୍ଟରେ ସେ ନିଜର ଗୋଟିଏ ଝୁପୁଡ଼ିଘର ତିଆରି କଲେ ।

ସେ ରହିଗଲେ ସମ୍ବଲପୁର ରେଳ ଷ୍ଟେସନ ନିକଟ ସେହି ଝୁପୁଡ଼ି ଘରେ । ସ୍ତ୍ରୀ ମଲ୍ଲୀକା, ତିନି ଝିଅ ଓ ତିନି ପୁଅର ସଂସାର ନେଇ ଚଳିଲେ । ପାରଶ, ପ୍ରତାପ ଓ ପ୍ରଭାତ ତିନିପୁଅ; ତିନି ଝିଅଙ୍କ ମଧ୍ୟରେ ଚନ୍ଦ୍ରିକା, ପ୍ରତିଭା ଓ ପୁନମ ।

କମ୍ପାନୀ ବନ୍ଦ ହୋଇଗଲା, ପୈତୃକ ଘର ଭାଙ୍ଗିଗଲା; ବାହାବନ୍ଧାରୁ ଜିତେନ୍ଦ୍ରିୟ ମୁକୁଳିଲେ ସିନା ହେଲେ ନିଃସ୍ୱ ହେଇଯିବା ସାର ହେଲା । କାରଣ ବହୁ ବଡ଼ ବଡ଼ କମ୍ପାନୀ ତାଙ୍କୁ ଆମନ୍ତ୍ରଣ କରୁଥିଲେ । କିନ୍ତୁ INDRECO ସାଥିରେ ଅନୁବନ୍ଧିତ ଥିବା ଯୋଗୁଁ ସେ କୌଣସି ବି କମ୍ପାନୀର ଆମନ୍ତ୍ରଣକୁ ସ୍ୱୀକାର କରି ପାରୁନଥିଲେ ।

ରାଜା ନିଜର ଭବ୍ୟ ପ୍ରାସାଦ ନିର୍ମାଣ ପରେ ଶିଳ୍ପୀର ଆଙ୍ଗୁଠି କାଟିବାର ଦଣ୍ଡ ହୋଇଗଲା ଜିତେନ୍ଦ୍ରିୟଙ୍କୁ । ଦୀର୍ଘ ଦଶବର୍ଷର ଅସ୍ୱୀକାର ତାଙ୍କୁ ସଂଗୀତ ବଜାରଠୁ ଦୂରରେ ରଖିଦେଲା । INDRECO ୧୯୮୯ ମସିହାରେ ଗୋଟିଏ ଶ୍ରମିକ ଆନେ୍ଦାଳନର ସମ୍ମୁଖୀନ ହୋଇ ବନ୍ଦ ହୋଇଗଲା ।

କମ୍ପାନୀ ସହ ଦଶବର୍ଷର ଚୁକ୍ତି ସମାପ୍ତ ହୋଇଯାଇଥିଲା । ଏହି ସମୟରେ ଜିତେନ୍ଦ୍ରିୟଙ୍କ ରୟାଲଟି ଟଙ୍କା କମ୍ପାନୀ ଦେଇଦେବା କଥା । କାରଣ କମ୍ପାନୀ ବନ୍ଦ ହେଉ କି ନହେଉ; ଅନେକ ଲକ୍ଷ ରେକର୍ଡ଼ର ପ୍ଲେଟ ବିକିଥିବାର ରୟାଲଟି ଅଧିକାର ଜିତେନ୍ଦ୍ରିୟଙ୍କ ଅଛି ନିଶ୍ଚୟ ।

ଜନମାନସରେ ରଙ୍ଗବତୀ ଓ ଜିତେନ୍ଦ୍ରିୟଙ୍କ ସମ୍ପର୍କ ପ୍ରେମିକ ପ୍ରେମିକାର ହୋଇଯାଇଥିଲା ଯେପରି । ଜିତେନ୍ଦ୍ରିୟଙ୍କୁ ରଙ୍ଗବତୀ ହିଁ ଅସ୍ତିତ୍ୱ ଦେଇ ରଖିଲା ପରବର୍ତ୍ତୀ ସମୟମାନଙ୍କରେ । ଅନେକ କାର୍ଯ୍ୟକ୍ରମର ଆମନ୍ତ୍ରଣ ତାଙ୍କୁ ମିଳୁଥିଲା ବୋଲି ସେ ନିଜର ସ୍ଥିତି ବଜାୟ ରଖିପାରିଲେ, ପରିବାରକୁ ବହୁକଷ୍ଟରେ ପ୍ରତିପାଳିତ କରି ପାରିଲେ ।

ରଙ୍ଗବତୀ ଗୀତ ତାର ଖ୍ୟାତି ହରାଉନଥାଏ । ରଙ୍ଗବତୀ ହିଁ ଭାରତର ପ୍ରଥମ ଗୀତ ଯାହା ୧୯୭୯-୮୦ରେ ବିବିସି ଏବଂ ଭଏସ୍ ଅଫ୍ ଆମେରିକା ବେତାରକେନ୍ଦ୍ରରୁ ପ୍ରସାରିତ ହୋଇଥିଲା । ଯା’ ଘରେ ଗ୍ରାମଫୋନ କି ରେକର୍ଡ଼ ପ୍ଲେୟାର ଅଛି, ତା’ ନିକଟରେ ଯଦି ରଙ୍ଗବତୀ ପ୍ଲେଟ ନାହିଁ ତା’ହେଲେ ସେ ଗୀତ ଶୁଣେନି ।

ଟ୍ରକ ଡ୍ରାଇଭର କି ଚା ଦୋକାନରେ ରଙ୍ଗବତୀ ରହିବା ନିଶ୍ଚିତ । ପରେ ଆସିଲା ଅଡ଼ିଓ କ୍ୟାସେଟର ଯୁଗ । ସେ ସମୟରେ ବି କୌଣସି ଫରକ ପଡ଼ିଲା ନାହିଁ ରଙ୍ଗବତୀର ଲୋକପ୍ରିୟତା ଉପରେ । ଅନେକ ପାଇରଟେଡ଼ କ୍ୟାସେଟ ବଜାରକୁ ଆସିଲା ରଙ୍ଗବତୀର ।

ବାହାଘରେ ରଙ୍ଗବତୀ ଗୀତ ବାଜିବା ଜରୁରୀ । ଛତିଶଗଡ଼ କି ଅନ୍ୟ ରାଜ୍ୟର ବାଜା କି ବରାତ ବୁଲିଲା ବେଳେ ବି ରଙ୍ଗବତୀ ବାଜିବ ନିଶ୍ଚୟ । ଓଡ଼ିଶାକୁ ଅନ୍ୟରାଜ୍ୟର ଲୋକେ ରଙ୍ଗବତୀ ଯୋଗୁଁ ହିଁ ଚିହ୍ନିବାର ଗୋଟିଏ ମାଧ୍ୟମ କରିସାରିଥିଲେ । ନାଭାଲ ଓ ଆର୍ମି କ୍ୟାମ୍ପମାନଙ୍କରେ ପଶ୍ଚିମ ଓଡ଼ିଶାର ଯବାନମାନେ ରଙ୍ଗବତୀର ଜନ୍ମଦିନ ମନାନ୍ତି ।

ଏକଦା ଅନେକଥର ରାଷ୍ଟ୍ରୀୟ ସମ୍ମାନରେ ସମ୍ମାନିତ କଳାକାର ଶ୍ରୀ ସାଧୁ ମେହେରଙ୍କ ସହ ରହିବାର ସୁଯୋଗ ମିଳିଥିଲା । ସେତେବେଳେ ଶ୍ରୀଯୁକ୍ତ ମେହେର ଗୋଟିଏ ସାକ୍ଷାତକାର ଦେବାକୁ ଯାଇ କହିଥିଲେ ରଙ୍ଗବତୀକୁ ଦକ୍ଷିଣର ଅନେକ ଫିଲ୍ମ ଗୀତରେ ଅନୁକରଣ କରାଯାଇଛି ।

ଯାହାର ସଂଖ୍ୟା ଦୁଇହଜାରରୁ ଅଧିକ ହେବ । ରାଷ୍ଟ୍ରୀୟ କି ଅନ୍ତଃରାଷ୍ଟ୍ରୀୟ ସ୍ତରର କୌଣସି ମନୋରଞ୍ଜନଧର୍ମୀ ଗୀତ ଏତେ ଲୋକପ୍ରିୟତା ପାଇଥିବାର ଉଦାହରଣ ନଥିଲା ସେତେବେଳେ ।

ଆଜିବି ଏହି ଲୋକପ୍ରିୟତା କମି ନାହିଁ କି ବଜାର ଯୁଗରେ ରଙ୍ଗବତୀକୁ ଟପିବା ପରି କୌଣସି ଗୀତ ବଜାରକୁ ଆସିପାରି ନାହିଁ । ରଙ୍ଗବତୀ ଗୀତକୁ ବାହାଘରେ ଗାଇବେ, ରେକର୍ଡ଼ ବାଜିଲେ ନାଚିବେ, ବେଣ୍ଡପାର୍ଟି ବଜେଇବେ, ଫିଲ୍ମଗୀତମାନଙ୍କରେ କପି କରାଯିବ, ସୋନା ମହାପାତ୍ର ଗାଇବେ ଏଇଟା ସାଧାରଣ କଥା ।

ଗତବର୍ଷ କୋକ ଷ୍ଟୁଡ଼ିଓରେ ରଙ୍ଗବତୀର ରିମେକ ଏମଟିଭିରେ ପ୍ରସାରିତ ହେଲା । ବହୁ ଲୋକପ୍ରିୟତା ଓ ବିବାଦ ଦେଖାଦେଲା । ପଶ୍ଚିମଓଡ଼ିଶାରୁ ବିରୋଧର ତୀବ୍ରସ୍ୱର ଉଠିଲା । ଏହି ସ୍ୱର ଭାରତର ଅନେକ ପ୍ରାନ୍ତରୁ ଶୁଣାଗଲା ।

ଏପରିକି ଜିତେନ୍ଦ୍ରିୟ ହରିପାଲ ମଧ୍ୟ ଏହାକୁ ବିରୋଧ କଲେ । ଏହାକୁ ବିକୃତ କରି ଗାଇଛନ୍ତି ଏବଂ ଗାଇବା ପୂର୍ବରୁ କୌଣସି ଅନୁମତି ନେଇ ନାହାନ୍ତି । କିନ୍ତୁ ଉତ୍ତର ଥିଲା ବେଶ ହେୟ କଲାପରି । ଯେ ରଙ୍ଗବତୀକୁ ଗାଇ ତାର ଲୋକପ୍ରିୟତା ବଢ଼େଇଛନ୍ତି । ଏହା ସେତେ ସତ ନୁହେଁ ଯେପରି କୁହାଗଲା ।

କାରଣ ସୋନା ମହାପାତ୍ର ନିଶ୍ଚିତଭାବେ ଜଣେ ଖ୍ୟାତିପ୍ରାପ୍ତ କଳାକାର । ସେ ରଙ୍ଗବତୀ ଗାଇ ନିଜର ଖ୍ୟାତିକୁ ଆହୁରି ବଢ଼େଇ ପାରିଲେ କେବଳ । ଏହି ମାମଲା କୋର୍ଟ ପର୍ଯ୍ୟନ୍ତ ବି ଯାଇଛି । ଯାହା ବର୍ତ୍ତମାନ ବିଚାରାଧିନ ।

ଜିତେନ୍ଦ୍ରିୟ ହରିପାଲ ସମ୍ବଲପୁରର ଜଣେ ନାମଜାଦା ବକ୍ସର ଥିଲେ । ଜଗ୍ଗୁ ଦା’ ସେ ସମୟର ଏକ ପରିଚିତ ନାମ । ସେ କୌଣସି ସଂଗୀତ ଶିକ୍ଷା କରି ନାହାନ୍ତି । ଘରେ ସମ୍ପନ୍ନତା ଥିଲା । ଜିତେନ୍ଦ୍ରିୟ ବାପାଙ୍କଠୁ ଯାହା ଶିଖିଥିଲେ । ଗଣା ପିଲା; ରକ୍ତରେ ତାଙ୍କର ସଂଗୀତ ରହେ । ତାଙ୍କର ସଙ୍ଗୀତ ସାଧନା ଥିଲା ଏକାନ୍ତ ପାରମ୍ପାରିକ ।

ସେ ରଙ୍ଗବତୀ ଗାଇ ଲୋକପ୍ରିୟତା ପାଇଲେ ଏହା ନିରାଟ ସତକଥା । କିନ୍ତୁ ଏତେ ଲୋକପ୍ରିୟତା ସତ୍ତ୍ୱେ ତାଙ୍କୁ ଜଣେ ସଂଗୀତଜ୍ଞ ଭାବରେ ସ୍ୱୀକାର କରାଗଲା ନାହିଁ । ସେ କୌଣସି ସଙ୍ଗୀତ ସଭାକୁ ଗଲେ ନାହିଁ, ପ୍ରକାରାନ୍ତେ ଡକାଗଲା ନାହିଁ । ସେ ଦଳିତ ବୋଲି…?

ଏହାର ଉତ୍ତର ଦିଅନ୍ତି ଜିତେନ୍ଦ୍ରିୟ, ଗଣାର ରକ୍ତରେ ସଂଗୀତ ରହେ । ଗଣାବଜା ସମସ୍ତଙ୍କୁ ମୋହିତ କରେ । ଗଣାବଜାକୁ ସମସ୍ତେ ଭଲ ପା’ନ୍ତି, ଗଣା ଲୋକଙ୍କୁ ନୁହେଁ । ଗଣାବଜାର ଲୋକପ୍ରିୟତା ସମସ୍ତେ ବୁଝନ୍ତି । ଏହାର ବ୍ୟବସାୟିକ ଦିଗଉପରେ ଏବେ ଅନେକ ସଚେତ ହେଲେଣି ।

ଡମବଜା ବା ଗଣାବଜାକୁ ଅପହରଣ କରିବାର ଚକ୍ରାନ୍ତ ଚାଲିଛି । ଏହାକୁ ସୁନ୍ଦରଭାବରେ କହନ୍ତି ଜିତେନ୍ଦ୍ରିୟ… ‘ପଂଚବାଦ୍ୟ’ ଓ ‘ଦୁଲଦୁଲି’ ନାମ ଦିଆ ଯାଉଛି ଏବଂ ଏହାକୁ ସାର୍ବଜନୀନ କରିବାର ଚକ୍ରାନ୍ତ କରାଯାଉଛି ।

ଜଣେ ସାଧାରଣ ଜାତିର ଶିକ୍ଷିତ ଢ଼ୁଲିଆ ଆଉ ଜଣେ ଅଶିକ୍ଷିତ ଗଣା ବା ଡମ ଢୁଲିଆକୁ ଯଦି ତୁଳନା କରାଯାଏ; ଏହାର ତଫାତ୍ ଆକାଶ ପାତାଳ ରହିବ । କାରଣ ଜଣେ ଅଶିକ୍ଷିତ ଗଣା ଢୁଲିଆ ସବୁବେଳେ ଢୋଲରେ ମହର୍ଷି ହିଁ ହୋଇଥାଏ । ପ୍ରକୃତରେ ଏହା ‘ଗଣାବଜା’ ।

ଏହାଛଡ଼ା ଏହାର ଅନ୍ୟନାମ ଦିଆଯିବା ଅନୁଚିତ । ‘ବୟନ’ ଶତାବ୍ଦୀ ପୂର୍ବରୁ ଅପହରଣ ହୋଇସାରିଛି । ଏବେ ‘ବାଦନ’କୁ ଅପହରଣ କରିବାର କୌଶଳ ଚାଲୁଛି । କିନ୍ତୁ ଗଣା ସମ୍ପ୍ରଦାୟ ଏଥିପ୍ରତି ସଚେତ କି?

୨୦୧୨ ମସିହାରେ ବଲାଙ୍ଗିର ଜିଲ୍ଲା ଲାଠୋର ଗାଁର ଗଣାବସ୍ତିକୁ ସବର୍ଣ୍ଣମାନେ ଜାଳିଦେଲେ । ଏସମୟରେ ଗୋଟିଏ ଉଦାହରଣ ସାମ୍ନାକୁ ଆସିଲା । ନିଜର ଜାତି ଏବଂ ପରମ୍ପରାକୁ ପ୍ରତିଷ୍ଠା ଦେବାକୁ ଗଣାଅସ୍ମିତା ଜାଗରଣ ପାଇଁ ଅନେକ କାର୍ଯ୍ୟକ୍ରମ ନିରନ୍ତର ଚାଲିଲା ।

ଯେଉଁ କାର୍ଯ୍ୟକ୍ରମମାନ ଗୋଟିଏ ନିଷ୍ପେଷିତ ଜାତିପାଇଁ ଅତ୍ୟନ୍ତ ଆବଶ୍ୟକ । ଏହି ଆନ୍ଦୋଳନ ଗୋଟିଏ ଭୁଲ କଲା ଯେ ଗଣାବାଜାକୁ ଅସ୍ୱୀକାର କଲା । ଏହି ଭୁଲ ନିଷ୍ପତ୍ତିର ସୁଅବସରକୁ ସବର୍ଣ୍ଣମାନେ ଠିକ ଠିକ ବ୍ୟବହାର କଲେ ।

ଯାହାକୁ ସବର୍ଣ୍ଣ ଯୁବକମାନେ ଗଣାବଜା ବାହାଘରମାନଙ୍କରେ ବଜାଇଲେ, ଲକ୍ଷ ଲକ୍ଷ ଟଙ୍କା ରୋଜଗାର କଲେ । ବିଗଣା ଜାତିର ଲୋକେ ଗଣାବାଜା କୌଣସି ଅନୁଷ୍ଠାନରେ ବଜାଇଲାବେଳେ ମହୁରୀ ପ୍ରତି ବଦଳରେ ଅରଗାନ ଅଥବା ଅନ୍ୟ ବୈଦୁ୍ୟତିକ ବାଦ୍ୟଯନ୍ତ୍ର ବ୍ୟବହାର କରିଥାନ୍ତି ।

ସେଥିରେ ଗଣାବଜାର ମୌଳିକତା ନଷ୍ଟ ହୋଇଥାଏ । ବର୍ତ୍ତମାନ କେତେକ ସ୍ୱେଚ୍ଛାସେବୀ ଗଣା ସମ୍ପ୍ରଦାୟର ଯୁବକ ଗାଁକୁ ଗାଁ ଯାଇ ଗଣାବଜାର ପୁନଃ ସଙ୍ଗଠନ ପାଇଁ ପ୍ରୟାସ କରୁଛନ୍ତି । ହୁଏତ ସମୟ ଓ ଅର୍ଥ ଅଭାବରୁ ଏହା ସେତେ କ୍ଷୀପ୍ର ହୋଇପାରି ନାହିଁ । କିନ୍ତୁ ପ୍ରୟାସ ଯେ ମହତ୍, ଏହା ସ୍ୱୀକାର୍ଯ୍ୟ ।

ଅନ୍ତଃରାଷ୍ଟ୍ରୀୟ ଖ୍ୟାତି ଓ ପୁରସ୍କାରପ୍ରାପ୍ତ ଚଲଚ୍ଚିତ୍ର ‘ଭୂଖା’ରେ ଏହି ସମ୍ପ୍ରଦାୟର କଥା କୁହାଯାଇଛି । ଜାତିପ୍ରଥା ନିକଟରେ ହୃଦୟର ଆବେଗ ବି ତାର ସୀମା ରଖିବାକୁ ବାଧ୍ୟ ହୋଇଥାଏ । କିନ୍ତୁ କଳାକାର ସବୁବେଳେ କଳାକାର ହିଁ ଥାଏ ।

ଜିତେନ୍ଦ୍ରିୟ ନିଜେ ଅନେକ ପ୍ରାଚୀନ ପାରମ୍ପାରିକ ଗୀତକୁ ସଂଗୀତ ଦେଇଛନ୍ତି । ଗୋଟିଏ ଉଦାହରଣ ନିଆଯାଇପାରେ । ମାଳାଶ୍ରୀ ଏକ ପାରମ୍ପାରିକ ଓ ସାଂସ୍କୃତିକ ଗୀତ । ଏହାକୁ ଲିରିକ ଦିଆଯାଇ ନ ଥିଲା । ପ୍ରାଚୀନ ପରମ୍ପରାକୁ ମାନ୍ୟତାଦେଇ ଯେଉଁ ଦେବୀଙ୍କ ପୂଜା ହୁଏ ସେଠାରେ ମାଳାଶ୍ରୀ ଗାଇବା ନିତାନ୍ତ ଆବଶ୍ୟକ ।

ମନ୍ତ୍ରସମୂହ ନୁହେଁ ପଶ୍ଚିମ ଓଡ଼ିଶାରେ ଜନସମୂହ (ଅନେକ ସମ୍ପ୍ରଦାୟର) ନିଜ ନିଜର ନୈଷ୍ଠିକ ସେବା ଦେଇ ଗୋଟିଏ ଦୈବୀ ଅନୁଷ୍ଠାନକୁ ପୂର୍ଣ୍ଣ କରିଥାନ୍ତି । ଏହି ପରମ୍ପରା ହିନ୍ଦୁଧର୍ମର କୌଣସି ପ୍ରଖ୍ୟାତ ପୀଠମାନଙ୍କରେ ଦେଖାଯାଏ ନାହିଁ ଜଗନ୍ନାଥ ଓ ପଶ୍ଚିମ ଓଡ଼ିଶାର ଦେବୀପୀଠମାନଙ୍କୁ ଛାଡ଼ିଦେଲେ । ଯେଉଁଥିରେ ଗାୟକ ଓ ବାଦକ ବି ଥାନ୍ତି ।

କିନ୍ତୁ ଜଗନ୍ନାଥ ମନ୍ଦିର ଛଡ଼ା ଅନ୍ୟସବୁ ଅବ୍ରାହ୍ମଣ ସେବାକୁ ପାରମ୍ପାରିକ ସ୍ୱୀକୃତି ମିଳିଛି । ଯାହାକୁ ଛୋଟ ଗିନିରେ ଶବ୍ଦକରି ବା କୁଲାରେ ଧାନ ଗଡ଼େଇ ଗାନ କରାଯାଇଥାଏ । ଗଣାବଜାରେ ଜିତେନ୍ଦ୍ରିୟ ଏହାକୁ ସୁନ୍ଦର ସଂଯୋଜନା କରିଛନ୍ତି ।

ଯେପରି ରଙ୍ଗବତୀକୁ ରାଗ ‘ଲତା’ରେ ଗାଇଛନ୍ତି । ନିଜର ମୌଳିକ ଗାୟନ ଶୈଳୀ ଜିତେନ୍ଦ୍ରିୟଙ୍କୁ ଆଜିବି ସ୍ୱତନ୍ତ୍ର କରି ରଖିଛି । ସେହି ଶୈଳୀକୁ କେହି ଆଜି ପର୍ଯ୍ୟନ୍ତ ଅନୁକରଣ ବି କରି ପାରିନାହାନ୍ତି । ହୁଏତ ସଂଖ୍ୟା ଦୃଷ୍ଟିରୁ କମ ହୋଇପାରେ, କିନ୍ତୁ ସମ୍ବଲପୁରୀ ଗୀତରେ ଜିତେନ୍ଦ୍ରିୟ-ଶୈଳୀକୁ ଯିଏ ବି ଦେଖିପାରିବ ।

ଏହି ଶୈଳୀର ବୈଜ୍ଞାନିକ ବିଶ୍ଲେଷଣ ନିତାନ୍ତ ଆବଶ୍ୟକ ମନେହୁଏ । ସବୁଠାରୁ ଆଶ୍ଚର୍ଯ୍ୟର କଥା ଜିତେନ୍ଦ୍ରିୟ ଶୈଳୀକୁ ସମସ୍ତେ ଜାଣନ୍ତି । ତାଙ୍କର ଗାୟକୀର ମୌଳିକତାକୁ ସମସ୍ତେ ସ୍ୱୀକାର କରନ୍ତି । ଏହା ସତକଥା ଯେ ସଙ୍ଗୀତନାଟକ ଏକାଡ଼େମୀ ସମ୍ବଲପୁରୀ ଗୀତକୁ କୌଣସି ମାନ୍ୟତା ଦେଇ ନାହିଁ ।

ସମ୍ବଲପୁର ରେଡ଼ିଓ ବ୍ୟତୀତ ଅନ୍ୟ କେହି ସମ୍ବଲପୁରୀ ଗୀତକୁ ସେତେ ପ୍ରାଧାନ୍ୟ ବି ଦେଇ ନାହାନ୍ତି । କିନ୍ତୁ ସମ୍ବଲପୁରୀ ଗୀତର ଶାସ୍ତ୍ରୀୟତା, ସ୍ୱାତନ୍ତ୍ର୍ୟତା ଏବଂ ଏହାର ଉଚ୍ଚତର ଗାୟନ -ଶୈଳୀମାନଙ୍କୁ ବ୍ୟାଖ୍ୟା ହୋଇନାହିଁ । ଏହାର ସିଲାବସ ପ୍ରସ୍ତୁତ ହୋଇ ନାହିଁ । ସ୍ୱତନ୍ତ୍ର କୋଶଲି ଭାଷାପାଇଁ ଆନ୍ଦୋଳନ ଚାଲୁଅଛି ।

ସ୍ୱତନ୍ତ୍ର କୋଶଲ ରାଜ୍ୟର ଦାବୀ ମଧ୍ୟ ଉଠିଲାଣି, କିନ୍ତୁ ସାଂସ୍କୃତିକ ଆନ୍ଦୋଳନ ହୋଇନାହିଁ । ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ ସମ୍ବଲପୁରୀ ଗୀତ ଓ ସଂଗୀତ ଭିତରେ ଶାସ୍ତ୍ରୀୟତାର ଅନ୍ୱେଷଣ କରିନାହିଁ । ଏହା ହିଁ ପରିତାପର ବିଷୟ ।

ଏହି ପରିସ୍ଥିତିରେ ଜିତେନ୍ଦ୍ରିୟ ଶୈଳୀଉପରେ ଗବେଷଣା କଥା ଭାବିବା ବି ଏକପ୍ରକାର ଅତିରଞ୍ଜିତ ବ୍ୟାଖ୍ୟା ବୋଲି ଧରାଯିବ । ପରିତାପର ବିଷୟ ଏହି ଯେ ଜଣେ ମହାନାୟକକୁ ଓଡ଼ିଶା ସବୁବେଳେ ଅସ୍ୱୀକାର ଓ ଅବହେଳା ହିଁ କରି ଆସିଅଛି । ଏଥିପାଇଁ ଓଡ଼ିଶା ସାଂସ୍କୃତିକ ଇତିହାସ ଭବିଷ୍ୟତରେ ନିନ୍ଦିତ ହେବ -ଏହାକୁ ଅସ୍ୱୀକାର କରାଯାଇପାରିବ ନାହିଁ ।

ସଙ୍ଗୀତ ପଶ୍ଚିମ ଓଡ଼ିଶାର ଲୋକଙ୍କ ସମଗ୍ର ସାମାଜିକ ସତ୍ତାକୁ ଛାଇଯାଇଛି । ବିନା ସଙ୍ଗୀତରେ କୌଣସି କାମ ହୁଏ ନାହିଁ । ସାମାଜିକ କାମରେ, ଜନ୍ମରେ, ବିବାହରେ, ମୃତ୍ୟୁରେ ବି ସଙ୍ଗୀତ ଓ ଗଣାବଜାର ଆବଶ୍ୟକତା ରହିଥାଏ । ଗାଁ ଦେବୀ ବିନା ଗଣାବଜାରେ ପୂଜା ପାଆନ୍ତି ନାହିଁ ।

ଚାଷ କଲେ ହଳିଆ ଗୀତ, ଆଈମା କାହାଣୀରେ ଗୀତ, ଜଙ୍ଗଲରେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ବେଳେ ଗୀତ । ଏପରି ଅନେକ ପାରମ୍ପାରିକ ଗୀତର ସଂଯୋଜନା କରି ତାକୁ ଗଣାବଜାରେ ଢାଳିଛନ୍ତି ଜିତେନ୍ଦ୍ରିୟ ହରିପାଲ ।

ସେ ସମସ୍ତ ପ୍ରାଚୀନ ରାଗରେ ଗୀତ ଗାଇପାରନ୍ତି- ଏହା ହେଲା ତାଙ୍କର ନୈସର୍ଗିକ ସ୍ୱତନ୍ତ୍ରତା ।

ସୋନା ମହାପାତ୍ରଙ୍କ ରଙ୍ଗବତୀ ଗାଇବା; ଜିତେନ୍ଦ୍ରିୟଙ୍କ ବ୍ୟକ୍ତିତ୍ୱ ନିକଟରେ ନଗଣ୍ୟ ହୋଇପଡ଼େ । ଏହି ବିବାଦ ଅନେକ ପ୍ରକାଶ୍ୟ ତଥ୍ୟକୁ ସ୍ପଷ୍ଟ କରିଦେଲା । ଏମ୍ଟିଭିରେ ପ୍ରଚାରିତ ରଙ୍ଗବତୀ ସହ ସଦ୍ୟ ଗୋଟିଏ ରାଷ୍ଟ୍ରୀୟ ଘରୋଇ ଚ୍ୟାନେଲରୁ ଶୀର୍ଷ ଘୋଷିତ ଗାୟକ ଋତୁରାଜ ମହାନ୍ତି ‘ବନେ୍ଦ ଉକ୍ରଳ ଜନନୀ…’ ଗାଇଲେ ।

ଓଡ଼ିଶାର ଜାତୀୟ ସଂଗୀତକୁ ଏହିପରି ପରିବେଷଣ କରାଯିବା ବିରୋଧରେ ସେତେ ପ୍ରତିବାଦ ହେଲା ନାହିଁ ଯେତିକି ପ୍ରତିବାଦ ପଶ୍ଚିମ ଓଡ଼ିଶାର ଲୋକେ ରଙ୍ଗବତୀ ପାଇଁ କଲେ । ପି. ସାଇନାଥ ନିଜେ ଲେଖିଛନ୍ତି ପଶ୍ଚିମ ଓଡ଼ିଶାର କଳାକାର ହୋଇଥିବାରୁ ଜିତେନ୍ଦ୍ରିୟଙ୍କୁ କିପରି ହଇରାଣ ହେବାକୁ ପଡ଼ିଛି ।

ଏପରିକି ତାଙ୍କ ରେକର୍ଡ଼ିଂମାନଙ୍କୁ ନିମ୍ନମାନର କ୍ୟାସେଟରେ ବଜାରକୁ ଛଡ଼ା ଯାଇଥିଲା । ବର୍ତ୍ତମାନ ମଧ୍ୟ ଏହାର ପୁନରାବୃତ୍ତି ହେଲା । ହେଲେ ଭିନ୍ନ ଢଙ୍ଗରେ । ଗଣମାଧ୍ୟମ ଦୟାରୁ କୁହାଯିବାର ପ୍ରୟାସ କରାଗଲା ଯେ ସେମାନେ ରଙ୍ଗବତୀ ଗୀତକୁ ଆହୁରି ବ୍ୟାପ୍ତ ବଜାର ଦେବାରେ ସହାୟକ ହୋଇଛନ୍ତି ।

ନିଶ୍ଚିତ ଏହା ହାସ୍ୟାସ୍ପଦ କଥା ରଙ୍ଗବତୀ ପାଇଁ! କିନ୍ତୁ ଏହାକୁ ସ୍ୱୀକାର କରାଯିବାକୁ ପ୍ରକାରାନ୍ତେ ବାଧ୍ୟ କରାଯାଉଥିଲା ଯେପରି । ଗୋଟିଏ ସାଂସ୍କୃତିକ ବିବାଦ ମୁଣ୍ଡ ଟେକୁଥିଲା । ଏହା ରାଜନୈତିକ ରୂପ ନନେଉ, ଏହାର ଯତ୍ନ କରାଯାଉଥିଲା ।

ସେଥିଲାଗି ବନ୍ଦେ ଉତ୍କଳ ଜନନୀ…ର ଅପମାନକୁ ମଧ୍ୟ ସହିଯିବାକୁ ହେଲା ଯେପରି । ୨୦୧୫ ମସିହାରେ ଜିତେନ୍ଦ୍ରିୟ ଏବଂ କ୍ରିଷ୍ଣା ପଟେଲଙ୍କୁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଡକ୍ଟରେଟ ସମ୍ମାନରେ ସମ୍ମାନିତ କଲା । ସତକଥା ହେଲା ଏହି ସମ୍ମାନ ଦେବାରେ ବହୁ ବିଳମ୍ବ ହେଲା ।

ଯେଉଁ ସମୟରେ ଡକ୍ଟରେଟ ସମ୍ମାନ ଦିଆଗଲା ସେ ସମୟ ଥିଲା ବିବାଦର ସମୟ । ପ୍ରକାରାନ୍ତେ ଲୋକେ ଅନେକ କଥାକୁ ବୁଝିଲେ । କଥାର ଅନେକ ଅର୍ଥ ବାହାର କଲେ । ଏହା ଉତ୍କୋଚ ନୁହେଁ ତ? ତୁଷ୍ଟିକରଣପାଇଁ ଏକ ଶାସକୀୟ କୂଟ ନୁହେଁ ତ?

ରଙ୍ଗବତୀ, ପ୍ରକାରାନ୍ତେ ବିଗତ ଚାରି ଦଶନ୍ଧି ଧରି ଗୋଟିଏ ସମ୍ପନ୍ନ ସଂସ୍କୃତି ପଟକୁ ଇଙ୍ଗିତ କରିଆସୁଅଛି । ତା’ର ବିଶ୍ୱବିଜୟ ଅଭିଯାନରେ ସେ ଓଡ଼ିଶାର ଏକ ମହାନ ସଂସ୍କୃତିର ବିଜୟବାନା ଧରିଛି ଯେପରି । କିନ୍ତୁ ଏହାର ଚିତ୍ରକାର ଜିତେନ୍ଦ୍ରିୟ ହରିପାଲଙ୍କୁ ତାଙ୍କ ନ୍ୟାୟ ମିଳିପାରିଛି କି?

ସେ ଏହାର ପ୍ରତିଧାବନ କରିଛନ୍ତି ଯେପରି । ସେ ଯଦି ବିଫଳ ହୋଇଥାନ୍ତେ, କିଛି କଥା ନ ଥିଲା । ସେ ସଫଳ ସେ ସ୍ୱତନ୍ତ୍ର; ସେ ସାଧକ ସେ ସନ୍ଥ; ସେ ଜଣେ ଜୀବନ୍ତ କିମ୍ବଦନ୍ତୀ । ସେ ଆମ ସହିତ ଅଛନ୍ତି -ଏହା ଆମପାଇଁ ଗର୍ବର କଥା । ଏଥି ସହିତ ତାଙ୍କୁ ତାଙ୍କର ଜୀବିତାବସ୍ଥାରେ ନ୍ୟାୟ ଦେବା ଶାସନର ଦାୟିତ୍ୱ, ସାଧାରଣଙ୍କ କର୍ତ୍ତବ୍ୟ । ସମୟକୁ ଫେରେଇ ହେବ ନାହିଁ ।

କିନ୍ତୁ ସମୟ ଥିବା ଭିତରେ ତାଙ୍କୁ ନ୍ୟାୟ ତ ଦିଆଯାଇ ପାରିବ । INDRECO ବନ୍ଦ ହୋଇଗଲା; ତାହା ବୋଲି ଜିତେନ୍ଦ୍ରିୟ ତାଙ୍କର ରୟାଲଟି ପାଇବାର ଅଧିକାର ତ’ ହରେଇ ନାହାନ୍ତି । ୧୯୫୭ କପିରାଇଟ ଆକ୍ଟ ସଂଶୋଧିତ ହୋଇ ୨୦୧୨ କପିରାଇଟ ଆକ୍ଟ ଲାଗୁ ହୋଇ ସାରିଲାଣି ।

ଏହି ଆଇନ ବଳରେ କୌଣସି ଉଚ୍ଚସ୍ତରୀୟ ତଦନ୍ତ କମିଟି ରଙ୍ଗବତୀ ଓ ଜିତେନ୍ଦ୍ରିୟଙ୍କ ଉପରେ ହୋଇଥିବା ଧାରାବାହିକ ଶୋଷଣର ତଦନ୍ତ କରି ପାରନ୍ତା । ଯଦିବା INDRECOର କୌଣସି ସତ୍ତା ନାହିଁ, ତା’ହେଲେ ଏହି କମ୍ପାନୀକୁ ସ୍ୱୀକୃତି ଦେଇଥିବା ଅନୁଷ୍ଠାନ ନିକଟରୁ ରୟାଲଟି ଟଙ୍କା ଆଦାୟ କରାଯାଇ ପାରନ୍ତା ।

ଯେଉଁମାନେ ବି ରଙ୍ଗବତୀର ଧୂନ୍ ନେଇଛନ୍ତି, ସେମାନଙ୍କ ନିକଟରୁ ତାଙ୍କର ବ୍ୟବସାୟ ଆଧାରରେ ରୟାଲଟି ସଂଗ୍ରହ କରାଯାଇ ପାରନ୍ତା । ଏହି କଥା ଚିନ୍ତା କରିବାର ସମୟ ବୋଧହୁଏ ଦ୍ୱିତୀୟଥର ଆସିବାର ନାହିଁ ।

ଅନେକ ଅଭିଯୋଗ କରନ୍ତି ଯେ ଜିତେନ୍ଦ୍ରିୟ ତାଙ୍କର ପାରିଶ୍ରମିକ ସବୁକୁ ଅକାରଣରେ ଉଡ଼େଇ ଦେଇଛନ୍ତି । କିନ୍ତୁ ଏହା ସେତେ ସତ ନୁହେଁ । ଏହି ପତ୍ରକାରର ନିଜସ୍ୱ ଅନୁଭୂତିରେ ସେ ରେଳଷ୍ଟେସନର ଭିକାରୀକୁ ସାଲ୍ ଦେଲାପରି କାମରେ ଖର୍ଚ୍ଚ କରିଛନ୍ତି ।

ଏକଦା ତାଙ୍କର ବହୁ ମୂଲ୍ୟବାନ ସଂଗୀତ ଯନ୍ତ୍ରପାତି ଚୋରି ହୋଇଗଲା । ଏହାପରେ ସେ ନିଜକୁ ବହୁ କଷ୍ଟରେ ପୁନର୍ବାର ସଂଖୋଳି ପାରିଥିଲେ । କିନ୍ତୁ ସମୟ ଓ ଶାସନର ଉଦାସୀନତା ତାଙ୍କୁ ଦାରିଦ୍ର୍ୟରୁ ମୁକ୍ତିରେ ବାଧା ହୋଇଛି ଯେପରି ।

ଜିତେନ୍ଦ୍ରିୟଙ୍କ ସ୍ୱପ୍ନ ହେଉଛି ଗୋଟିଏ ସଙ୍ଗୀତ ଏକାଡ଼େମି ସ୍ଥାପନ କରିବା । ଏଥିରେ ପଶ୍ଚିମ ଓଡ଼ିଶାର ସଙ୍ଗୀତ ଓ ସାଙ୍ଗୀତିକ ପରମ୍ପରାର ଗବେଷଣା ଓ ସାଧନ କରିବା । ଏହି ସ୍ୱପ୍ନ ପଛର ବାସ୍ତବତା ବର୍ତ୍ତମାନର ପରିସ୍ଥିତିରେ ସାଂଘାତିକ ଭାବେ କୃର ଜଣାପଡ଼ୁଥିଲେ ବି ସେତେ ହୋଇ ନପାରେ । କିନ୍ତୁ ଏହାର ଆବଶ୍ୟକତାକୁ ହୃଦୟଙ୍ଗମ କରିବା ଆବଶ୍ୟକ ।

ରଙ୍ଗବତୀ ଜନ୍ମନେବାର ଚାରି ଦଶନ୍ଧି ମଧ୍ୟରେ ଅନେକ ଘଟଣା ଘଟିଯାଇଛି । ରଙ୍ଗବତୀକୁ ନେଇ ଅନେକ କଥା କିମ୍ବଦନ୍ତୀ ଓ ଘଟଣା ଘଟି ସାରିଛି । ଏ ସମୟ ମଧ୍ୟରେ କୌଣସି ପ୍ରୟାସ ହୋଇନାହିଁ ଯେ ଜିତେନ୍ଦ୍ରିୟଙ୍କ ଉପରେ ତଥ୍ୟ ସଂଗ୍ରହ କରାଯାଇ ତାଙ୍କୁ ଅନ୍ତତଃ ‘ପଦ୍ମଶ୍ରୀ’ ପାଇଁ ସୁପାରିଶ କରାଯାଇପାରନ୍ତା ।

ଗୋଟିଏ ସାଂସ୍କୃତିକ ବିଭବର ସଂକଳନ ପାଇଁ ପ୍ରୟାସ କରାଯାଇ ପାରନ୍ତା । କିନ୍ତୁ କୌଣସିଟିରେ ‘ହଁ’ ନାହିଁ । ଜିତେନ୍ଦ୍ରିୟଙ୍କ ଭାଷାରେ ‘ଡମ ଛଡ଼ା କେହି ବି ଯଦି ବାଦନ ସଂସ୍କୃତିର ବ୍ୟାଖ୍ୟା କରିଦେବ, ତା ହେଲେ ମୁଁ ତା ନିକଟରେ ମୁଣ୍ଡ ନୁଆଁଇ ଦେବି’ ।

ଏହା ସାଧାରଣ କଥା ନୁହଁ । ଜଣେ ମହର୍ଷି ବ୍ୟତୀତ କେହିବି ଏହି କଥା କହିବାର ସାହସ କରିପାରିବ ନାହିଁ । କାହିଁକିର ପ୍ରଶ୍ନଟିଏ ତ କରାଯାଇ ପାରନ୍ତା ଜିତେନ୍ଦ୍ରିୟ ହରିପାଲଙ୍କୁ । ସେହିପରି ଜିତେନ୍ଦ୍ରିୟଙ୍କ ବ୍ୟାଖ୍ୟା ବି କଠିନ । ଯେପରି କଠିନ ତାଙ୍କର ଅତୀତ ।

ହୁଏତ ଶାସନର ସାମାନ୍ୟ ଆନ୍ତରିକତା ତାଙ୍କୁ ଏହି କଠିନତାରୁ ମୁକ୍ତି ଦେଇ ପାରନ୍ତା । ତାଙ୍କର ଉତ୍ତର ବୟସରେ ତାଙ୍କର ନ୍ୟାଯ୍ୟ ଦେଇପାରନ୍ତା । ସମୟର ମହାନାୟକକୁ ତାର ନ୍ୟାଯ୍ୟ ଦିଆଯାଇ ପାରନ୍ତା… ।

ଲେଖକଙ୍କୁ ଯୋଗାଯୋଗ କରିବାର ଇମେଲ ଓ ଫୋନ ନମ୍ବର ହେଲା rajibs68@gmail.com 94375 27290

ସୌଜନ୍ୟ: ସମଦୃଷ୍ଟି

Most Popular

To Top