ପରମ୍ପରା

ରଥଯାତ୍ରା ସମ୍ପର୍କରେ କେତୋଟି ଅନାଲୋଚିତ ତଥ୍ୟ

Reading Time: 1 minutes

rath-1-1କେଦାର ମିଶ୍ର

ରଥଯାତ୍ରା ସହିତ ଓଡିଶାର ଜନଜୀବନ ଓ ସାଂସ୍କୃତିକ ଭାବ ପ୍ରବଣତାର ଏକ ଦୀର୍ଘକାଲୀନ ଇତିହାସ ରହିଛି । କେବଳ ଧାର୍ମିକ ବା ସାଂସ୍କୃତିକ ଜୀବନବୋଧ ନୁହଁ, ବରଂ ଓଡିଶାର ରାଜନୀତି ଓ ଅର୍ଥନୀତି ସହ ରଥଯାତ୍ରା ର ନିବିଡ ସମ୍ପର୍କ ରହିଛି।

ଅର୍ଥନୈତିକ ଭାବରେ ଏହା ସାମନ୍ତବାଦ କବଳିତ ଓଡିଶାର ସବୁଠୁ ଅଧିକ ତୀର୍ଥ କର ଦେଉଥିବା ଯାତ୍ରା ଭାବେ ପରିଗଣିତ ହେଉଥିଲା । ମୋଗଲ ଓ ମରାଠା ମାନେ ରଥଯାତ୍ରା ସମୟରେ ଯାତ୍ରୀ ମାନଂକ ଠାରୁ ବିପୁଳ କର ଆଦାୟ କରୁଥିଲେ ।

ଅନ୍ୟ ଏକ ଘଟଣା କ୍ରମରେ ଓଡିଶାରେ ନିଜର ରାଜନୈତିକ ପତିଆରା ବରକରାର ରଖିବାକୁ ଖୁର୍ଧା ର ଗଜପତି ରାଜା ମାନେ ମହାପ୍ରଭୁ ଜଗନ୍ନାଥଙ୍କ ଆଦ୍ୟ ସେବକ ଭାବରେ ଶ୍ରୀମନ୍ଦିର ର ମୁଖିଆ ପଦ ମଣ୍ଡନ କରିଥିଲେ।

ଐତିହାସିକ ଦୃଷ୍ଟିରୁ ରଥଯାତ୍ରା ସହିତ ରାଜନୈତିକ କ୍ଷମତା ପ୍ରଦର୍ଶନର ଏକ ସୂକ୍ଷ୍ମ ଧାର୍ମିକ ସମ୍ପର୍କ ରହିଆସିଛି ।ରଥଯାତ୍ରାର ଐତିହାସିକ ଓ କିମ୍ବଦନ୍ତି ମୂଳକ ଆଲୋଚନା ରୁ କେତୋଟି ବିଶେଷ ଅନାଲୋଚିତ ତଥ୍ୟ-

୧. ୧୬ଶ ଶତାବ୍ଦୀରେ ରଚିତ କପିଳ ସଂହିତାରେ ମହାପ୍ରଭୁ ଜଗନ୍ନାଥ ନିଜେ ରତ୍ନ ସିଂହାସନ ତ୍ୟାଗ କରି ନିଜ ଭକ୍ତ ମାନଂକୁ ସକଳ ପାପ ତାପରୁ ମୁକ୍ତି ଦେବାକୁ ରଥରେ ବସି ବଡ ଦାଣ୍ଡରେ ବିଜେ କରିବାର ପ୍ରତିଶୃତି ଦେଇଛନ୍ତି । ତେଣୁ ଏହା ମହାପ୍ରଭୁଂକ ନିଜ ଇଚ୍ଛା ର ଯାତ୍ରା ।

ଏହି ଯାତ୍ରା ରେ ଭକ୍ତର ଭୁମିକା ସବୁଠୁ ଆଗରେ । ତେଣୁ ଏହାକୁ ନବଦିନାତ୍ମକ ପତିତପାବନ ଯାତ୍ରା ବୋଲି ମଧ୍ୟ କୁହାଯାଏ।

୨. ଶ୍ରୀ ମନ୍ଦିର ଠାରୁ ତିନି କିଲୋମିଟର ଦୂର ଗୁଣ୍ଡିଚା ମନ୍ଦିର କୁ ଶ୍ରୀ ଜଗନ୍ନାଥଂକ ଜନ୍ମବେଦୀ ବୋଲି ମଧ୍ୟ କୁହାଯାଇଥାଏ ।ସ୍କନ୍ଦ ପୁରାଣ ର ଉତ୍କଳ ଖଣ୍ଡରେ ଜଗନ୍ନାଥ ନିଜେ କହୁଛନ୍ତି – ଆଷାଢ଼ ଶୁକ୍ଲ ଦ୍ଵିତୀୟା ଦିନ ଆମ୍ଭଙ୍କୁ ବଳଭଦ୍ର ଓ ସୁଭଦ୍ରାଙ୍କ ସହ ସେଇ ମହାବେଦୀ କୁ ରଥରେ ବସାଇ ଘେନିଯିବ ।

ସେହି ମହାବେଦୀ ଆମ୍ଭର ଆଦ୍ୟ ପୀଠ ଓ ସେଠାରେ ତୁମେ ରାଜା ଇନ୍ଦ୍ରଦ୍ୟୁମ୍ଣ ହଜାରେ ଅଶ୍ଵମେଧ ଯଜ୍ଞ କରିଛ । (ଉତ୍କଳ ଖଣ୍ଡ-୨୯/୩୪)

୩. କପିଳ ସଂହିତା, ସ୍କନ୍ଦ ପୁରାଣ, ବ୍ରହ୍ମ ପୁରାଣ ଓ ନିଳାଦ୍ରୀ ମହୋଦୟ ଇତ୍ୟାଦି ଗ୍ରନ୍ଥରେ ରଥଯାତ୍ରା ର ପ୍ରାଚୀନ ବିବରଣୀ ଲିଖିତ ହୋଇ ରହିଛି। ସେହି ପରି ମାଦଳା ପାଂଜୀ ରେ ମଧ୍ୟ ରଥ ଯାତ୍ରା ଓ ତାର ବିଭିନ୍ନ ସମୟର ସମସ୍ୟା-ସଂକଟ ବିଷୟରେ ମଧ୍ୟ ଉଲ୍ଲେଖ ରହିଛି।

୪. ପ୍ରଥମ ରଥଯାତ୍ରା ସମ୍ପର୍କିତ ତଥ୍ୟ ମାଦଳା ପାଂଜିରେ କେଶରୀ ବଂଶ ର ଆଲୋଚନା ରୁ ମିଳିଥାଏ ।ମୁରାରୀ କବିଙ୍କର “ଅନର୍ଘ ରାଘବ” ( ଦଶମ ଶତାବ୍ଦୀ ) ନାଟକରେ ମଧ୍ୟ ରଥ ଯାତ୍ରାର ଉଲ୍ଲେଖ ରହିଛି । କେତେକଂକ ମତରେ ରଥଯାତ୍ରାରେ ବୌଦ୍ଧ ଓ ଜୈନ ପରମ୍ପରା ଓ କିଛି କିଛି ତନ୍ତ୍ର ପରମ୍ପରାର ପ୍ରଭାବ ରହିଛି ବୋଲି ମଧ୍ୟ କୁହାଯାଏ ।

୫. ଧାର୍ମିକ ଓ ଆଧ୍ୟାତ୍ମିକ ଦୃଷ୍ଟିରୁ ରଥକୁ ଶରୀର ଓ ଚଳନ୍ତି ଦେଉଳ ସହ ତୁଳନା କରାଯାଇଛି । ତେବେ ସାମାଜିକ ଇତିହାସ ଦୃଷ୍ଟିରୁ ଏହା ଓଡିଶାର ସବୁଠୁ ବଡ ରାଜନୈତିକ ଯାତ୍ରା । ଏହାର ଏକମାତ୍ର କାରଣ ହେଉଛି ମହାପ୍ରଭୁ ଶହ ଶହ ବର୍ଷ ଧରି ଓଡିଶାର ରାଜାଧିରାଜ ଓ ଓଡିଶାର ଗଜପତି ତାଂକର ରାଉତ ବୋଲି ସ୍ଵୀକାର କରିବା ।

ତେଣୁ ମହାପ୍ରଭୁଂକ ଉପରେ ବାହ୍ୟ ଆକ୍ରମଣକାରୀ ଓ ଲୁଂଠନକାରୀ ସବୁବେଳେ ଦାଉ ସାଧିଛନ୍ତି ।

୬. ଶ୍ରୀ ମନ୍ଦିର ଉପରେ ଯବନ ରକ୍ତବାହୁ ଠାରୁ ଆରମ୍ଭ କରି ତକି ଖାନ୍ ପର୍ଯ୍ୟନ୍ତ ବହୁ ଆକ୍ରମଣକାରୀ ଲୋଳୁପ ନଜର ପକାଇଛନ୍ତି। ତେବେ ୧୬୦୯ ମସିହାରେ ମୋଗଲ ଦରବାରରେ ସେନାପତି ଥିବା ହିନ୍ଦୁ ରାଜପୁତ୍ କେଶୋଦାସ୍ ମାରୋ ରଥଯାତ୍ରା ସମୟରେ ପୁରୀ ଆକ୍ରମଣ କରିଥିଲା ।

୭. କେସୋଦାସ ମାରୋ ର ରଥଯାତ୍ରା ଆକ୍ରମଣ ବିଷୟ ଉଲ୍ଲେଖ କରି ମାଦଳା ପାଂଜୀ ରେ ଲେଖା ଅଛି- “ଏ ମହାରାଜାଂକ ଯାତ୍ରୀ ପଣେ କେଶୋଦାସ ମାରୁ ଆସି ଗୁଣ୍ଡିଚା ଯାତ୍ରା ଦେଖି ଦୁଇ ଦେଉଳ ଧଇଲା ।

ପରମେଶ୍ବର ଗୁଣ୍ଡିଚା ଘରେ ବିଜେ କରିଥିଲେ।ତିନି ରଥ ପୋଡି ଦେଲା ।++++ଗୁଣ୍ଡିଚା ଘରେ ଅନେକ ମାଇଲା” ରଥ ଯାତ୍ରା ସମୟରେ ଏହା ବୋଧ ହୁଏ ସବୁଠୁ ବଡ ଆକ୍ରମଣ ଯାହା ଜଣେ ହିନ୍ଦୁ ସେନାପତିଂକ ଦ୍ଵାରା ସଂଗଠିତ ହୋଇଥିଲା ।

୮. ସେହିପରି ଗଜପତି ପଦକୁ ନେଇ ମଧ୍ୟ ଅନେକ ସମୟରେ ଖୁର୍ଧା ଓ ପାରଲାଖେମଣ୍ଡି ରାଜ ପରିବାର ମଧ୍ୟରେ କଳହ ରଥଯାତ୍ରା ସମୟରେ ଦେଖିବାକୁ ମିଳିଛି ।

୧୨ ଜୁଲାଇ ୧୭୫୩ ମସିହା ରେ ପାରଳା ରାଜା ଜଗନ୍ନାଥ ନାରାୟଣ ଦେଓ ଓ ତାଂକ ଭାଇ ନିଜକୁ ଗଜପତି ବୋଲି ରଥଯାତ୍ରା ସମୟରେ ଘୋଷଣା କରି ରଥ ଦଖଲ କରି ନେଇଥିଲେ । ସେବାୟତଂକ କୌଶଳ କ୍ରମେ ଖୁର୍ଧା ଗଜପତି ପୁଣି ଶ୍ରୀ ମନ୍ଦିର ଉପରେ ନିଜ ଅଧିକାର ଜାହିର କରିବାରେ ସଫଳ ହୋଇଥିଲେ।

୯. ୧୮୦୩ ମସିହାରେ ବ୍ରିଟିଶ୍ ମାନେ ଓଡିଶା ଦଖଲ କଲେ ।୧୮୦୪ ରେ କଟକର ଗୋରା କମିଶନର୍ ଜନ ମେଲଭିଲ୍ ରଥଯାତ୍ରା ଦେଖିବାକୁ ଆସି ନିଜ ରିପୋର୍ଟ୍ ରେ ଲେଖିଲେ ଯେ- “ମୁଁ ପୂରୀରେ ପହଂଚିଲା ମାତ୍ରେ ଯାତ୍ରୀ ଓ ସେବାୟତ ମାନେ କରତାଳି ତଥା କୋଳାହଳ ମାଧ୍ୟମରେ ମୋତେ ସ୍ଵାଗତ ଜଣାଇଲେ ।

ଏଥିରୁ ମୋତେ ଲାଗୁଚି ଯେ ସେବାୟତ ଓ ଯାତ୍ରୀଂକ ମନରେ ବ୍ରିଟିଶ୍ ସରକାରଂକ ପ୍ରତି ଉତ୍ତମ ମନୋଭାବ ରହିଛି ।ସୁତରାଂ ଜଗନ୍ନାଥ ରଥଯାତ୍ରା ଯଥାବିଧି ଚାଲୁ ବୋଲି ମୁଁ ଅନୁମୋଦନ କରୁଅଛି।“ ତା’ ପରଠୁ ବ୍ରିଟିଶ ସରକାର ମନ୍ଦିର ପରିଚାଳନା ରେ ଅନୁପ୍ରବେଶ କରିନାହାନ୍ତି ।

୧୦. ରଥଯାତ୍ରା ର ପରିଚାଳନା ଲାଗି ଗଜପତି ଅମଳରୁ ଆଜି ଯାଏଁ ବହୁ ନିୟମ ଓ ବିଧାନ ଗଢା ହୋଇଛି, ଭଂଗା ମଧ୍ୟ ହୋଇଛି । ତେବେ ରଥଯାତ୍ରା ସହ ସାଧାରଣ ଭକ୍ତଂକ ଆବେଗ ଶହ ଶହ ବର୍ଷ ଧରି ଯେମିତି କି ସେମିତି ରହିଛି। ଏହାହିଁ ରଥଯାତ୍ରାର ସବୁଠୁ ବଡ ସାର୍ଥକତା ।

ସୌଜନ୍ୟ: ଓଡିଶା ଡଟ କମ

To Top