ମନୋରଞ୍ଜନ

ବାଣୀ କଣ୍ଠ ନିମାଇଁ ହରିଚନ୍ଦନଙ୍କ ସମ୍ପର୍କରେ ଦଶଟି କଥା

Reading Time: 1 minutes

banikantha-4କେଦାର ମିଶ୍ର

ସେ ଗୀତ ନୁହଁ, ଗୋଟେ ଆତୁର କଣ୍ଠର ପ୍ରାର୍ଥନା।

ସେ ସୁର ନୁହଁ , ନିଶ୍ଵାସ ପ୍ରଶ୍ଵାସ ର ଏକ ଅନାହତ ବୀଣା। ତାଂକୁ କେହି କେବେ ଗାୟକ ବୋଲି ଡାକିନାହିଁ। କୋଟି କୋଟି ଓଡିଆଂକ ପ୍ରାଣରେ ସେ ଏକଇ ବାଣୀ କଣ୍ଠ।

ନିମାଇଁ ଚରଣ ହରିଚନ୍ଦନ, ଏଇ ନାଁ ଟିକୁ କିଏ ଜାଣୁ ବା ନ ଜାଣୁ , ବାଣୀ କଣ୍ଠ ନାଁ ଟି ସହ ଓଡିଆ ଜାତି ଅତି ପରିଚିତ। ସ୍ଵରର ଶୁଦ୍ଧତା, ଉଛାରଣରେ ସ୍ପଷ୍ଟତା, ଗାୟକୀ ରେ ତନ୍ମୟତା ଓ ଭାବରେ ସମର୍ପଣର ଅପୂର୍ବ ସମାହାର ନିମାଇଁ ହରିଚନ୍ଦନଂକ କଣ୍ଠରେ ଆଶୀର୍ବାଦ ପରି ଲାଖି ରହିଥିଲା ।

ସେ ଭାବ ଓ ଭଜନର ଶିଳ୍ପୀ। ଓଡିଆ ସଂଗୀତ ଜଗତର ଅନନ୍ୟ ଶିଳ୍ପୀ ବାଣୀ କଣ୍ଠ ନିମାଇଁ ହରିଚନ୍ଦନ ଙ୍କୁ ନେଇ କିଛି କଥା-

୧. ୧୯୦୧ ଜୁଲାଇ ୯ ତାରିଖରେ କେନ୍ଦ୍ରାପଡ଼ାର ଏକ ଅବକ୍ଷୟିଷ୍ଣୁ ସାମନ୍ତ ପରିବାରରେ ନିମାଇଁ ଚରଣକ ଜନ୍ମ। ପିତା ବୃନ୍ଦାବନ ଚନ୍ଦ୍ର ହରିଚନ୍ଦନ ଓ ମାତା ନାମ ଇନ୍ଦ୍ରମଣୀ ଦେବୀ । ଜେଜେ ରାଧାଶ୍ୟାମ ନରେନ୍ଦ୍ର, ଓଡିଶାର ଅନ୍ୟତମ ମହାଦାନୀ ଜମିଦାର।

ଗୋଟେ ସମୟରେ କୁହାଯାଉଥିଲା ସ୍ଵର୍ଗରେ ଇନ୍ଦ୍ର ଓ ମର୍ତ୍ୟରେ ନରେନ୍ଦ୍ର । ଦାନ ଦେଇ ଦେଇ ନରେନ୍ଦ୍ର ପରିବାର ଏକ ପ୍ରକାର ସର୍ବସ୍ଵାନ୍ତ ହୋଇ ଯାଇଥିଲେ।

୨. ୧୯୧୬ ମସିହାରେ ନିମାଇଁ ତାଂକର ସମ୍ପର୍କୀୟ ଗୋକୂଳ ଶ୍ରୀଚନ୍ଦନଙ୍କ ସଂଗୀତ ଶିକ୍ଷା ଆରମ୍ଭ କରିଥିଲେ । ନିମାଇଁଙ୍କ କକେଇ ଗୋକୁଳଚନ୍ଦ୍ର ଶ୍ରୀଚନ୍ଦନ ଥିଲେ ସେତେବେଳର ଓଡିଶାରେ ଏକମାତ୍ର ସଂଗୀତ ବିଶାରଦ।

ପରବର୍ତୀ ସମୟରେ ସେ ଓସ୍ତାଦ ମାଧେରାଓ ଓ ବାବାଜୀ ରାମ ଦାସଂକ ଠାରୁ ଉଚ୍ଚତର ସଂଗୀତ ଶିକ୍ଷା ଲାଭ କରିଥିଲେ ।

୩. ସଂଗୀତ ଶିକ୍ଷା ଓ ଅଭ୍ୟାସ ତାଂକୁ ଆଠଗଡ ରାଜ ଦରବାରର ନିକଟବର୍ତୀ କରିଥିଲା। ପରେ ସେ ଆଠଗଡ ଦରବାରର ରାଜ ଗାୟକ ଭାବେ ସମ୍ମାନ ଲାଭ କରିଥିଲେ। ଆଠଗଡରେ ବିବାହ କରି ନିମାଇଁ ତାଂକ ସଂଗୀତ ସାଧନା ଅବ୍ୟାହତ ରଖିଲେ । ତାଂକର ବହୁ ପ୍ରସିଦ୍ଧ ଗୀତ ଆଠଗଡରେ ସଂରଚିତ ହୋଇଥିଲା।

୪. ଓଡିଶୀ ଗାୟନ ଶୈଳୀର ଉଚ୍ଚାନ୍ଗ ଠାଣୀ ଓ ଉଦାତ୍ତ ସ୍ଵର ବିନ୍ୟାସ ରେ ତାଂକ ସମକକ୍ଷ ଶିଳ୍ପୀ ଆଜି ଯାଏ ସୃଷ୍ଟି ହୋଇନାହାନ୍ତି।

ଭାବ ଓ ଭକ୍ତି କେବଳ ନୁହଁ, ତାଂକ କଣ୍ଠରେ ଆର୍ତ୍ତୀ ଓ ବିଦ୍ରୋହର ଆଭାସ ରହିଥିଲା । ପଥର ହେଲ ହେ ପ୍ରଭୁ ପଥର ଟେକା।।।। କିମ୍ବା ଆରତ ତାରଣ ବାନା।।।।ଇତ୍ୟାଦି ଗୀତରେ ଯେତିକି କାରୁଣ୍ୟ ରହିଛି କହଲୋ ସଜନୀ ସେ କଦମ୍ବମୁଳେ।।।ଭଳି ଗୀତରେ ସେତିକି ଉଦାର ମାଧୁର୍ଯ୍ୟ ମଧ୍ୟ ରହିଛି ।

୫. ଯେଉଁମାନେ ବାଣୀକଣ୍ଠଙ୍କୁ କେବଳ ଭଜନ ଗାୟକ ବୋଲି ଭାବନ୍ତି ସେମାନେ ତାଂକ କଣ୍ଠର ଦାର୍ଶନିକତା ବୁଝିବାକୁ ଭଗବାନ ବୋଲୁ ଯାହାକୁ, ବଡ ସେ କପଟି ବଡ ସେ ଡାକୁ ।।।କିମ୍ବା ସୁଖ ଦୁଖ ଦୁଇ ସହୋଦର ଭାଇ ଶୁଣିବା ଦରକାର।

ଏ ସବୁ ଗୀତରେ ଆଉ ଜଣେ ନିମାଇଁ ହରିଚନ୍ଦନ ଆମର ଦୃଷ୍ଟିକୁ ଆସିବେ ।

nimai3୬. ୧୯୩୩ ମସିହାରେ ତାଂକର ପ୍ରଥମ ଏଲପି ରେକର୍ଡ଼ ପ୍ରସିଦ୍ଧ ଏଚ୍ଏମଭି କମ୍ପାନୀ ଦ୍ବାରା ମୁକ୍ତିଲାଭ କରିଥିଲା । ଭଜନ, ଜଣାଣ, ଛାନ୍ଦ, ଓଡିଶୀ, ଚୌତିଶା, ଚୌପଦୀ ଓ ଚମ୍ପୁ ଗାୟନରେ ସେ ନିଜର ଏକ ସ୍ଵତନ୍ତ୍ର ଶୈଳୀ ତିଆରି କରିଯାଇଛନ୍ତି।

ତାଂକ ଅନ୍ତେ ବହୁ ଗାୟକ ତାଂକ ଗାୟନ ଶୈଳୀର ଅନୁସରଣ କରିଛନ୍ତି, ହେଲେ ତାଂକ ଉଦାତ୍ତ ସ୍ଵର କୁ ଛୁଇଁ ପାରିବାର ଦକ୍ଷତା କାହା ପାଖରେ ନାହିଁ।

୭. ଉଚ୍ଚ ସ୍ଵରରେ ଗାୟନ ଅନେକ ସମୟରେ ରୋଦନ ପାଲଟିଯାଏ । ତେଣୁ ଉଦାତ୍ତ ଉଚ୍ଚାରଣ ରେ ସ୍ଵର କୁ ନିୟନ୍ତ୍ରଣ ରେ ରଖିବା ସବୁଠୁ କଠିନ କାମ। ବାଣୀ କଣ୍ଠ ତାଂକ ଉଦାତ୍ତ ସ୍ଵର ବ୍ୟବହାର ସମୟରେ ଭାବ ଓ ସୁର୍ ର ଚମତ୍କାର ବିନ୍ୟାସ କରିପାରନ୍ତି।

ତାଂକୁ ଅନୁକରଣ କରୁଥିବା ଶିଳ୍ପୀ ମାନେ ଏଇଠି ପରାଜିତ ହୁଅନ୍ତି।

୮. ନିମାଇଁ ହରିଚନ୍ଦନ ଆକାଶବାଣୀ ର ନିୟମିତ କଣ୍ଠ ଶିଳ୍ପୀ ଭାବେ ୧୯୪୭ ରୁ ଗାଇ ଆସୁଥିଲେ। ରେଡିଓ ରେ ତାଂକ ଗୀତ ବାଜୁନଥିବା ଦିନ କେବେ ବି ନଥିଲା

୯. ୧୯୭୬ ରେ ଭାରତ ସରକାରଂକ ପଦ୍ମଶ୍ରୀ, ୧୯୫୪ ରେ ପ୍ରଥମ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରଷ୍କାର ସମେତ ବହୁ ସମ୍ମାନ ତାଂକୁ ମିଳିଥିଲା। ତେବେ ତାଂକ ସାଧନାର ସର୍ବଶ୍ରେଷ୍ଠ ସ୍ଵୀକୃତି ସ୍ଵରୂପ ତାଂକୁ ପୁରୀ ଗଜପତି ମହାରାଜା ଶ୍ରୀ ମନ୍ଦିରରେ ଚାମର ସେବା କରିବାର ସୁଯୋଗ ଦେଇଥିଲେ ।

୧୦. ୧୯୮୩ ଜୁଲାଇ ୨୦ ତାରିଖ, ପବିତ୍ର ବାହୁଡା ଯାତ୍ରା ତିଥିରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବାହୁଡା ବିଜୟ କରୁଥିବା ବେଳେ ପୁରୀ ରେ ଏହି ଅନନ୍ୟ ଗାୟକଂକ ପରଲୋକ ଘଟିଥିଲା। ବାହୁଡା ବେଳକୁ ବାହୁଡି ଯିବେ ବୋଲି ସେ ଯେଉଁ ପ୍ରାର୍ଥନା କରିଥିଲେ ତାହା ସତ୍ୟ ହୋଇଥିଲା

ସୌଜନ୍ୟ: ଓଡିଶା ଡଟ କମ

Most Popular

To Top