ମହମ୍ମଦ ଅଲୀ ଓ ମାନବ ଅଧିକାର ଲାଗି ସଂଘର୍ଷର ୧୦ ଟି ଅମର ବାକ୍ୟ

 

muhammad_ali-final

କେଦାର ମିଶ୍ର

ମହମ୍ମଦ ଅଲୀଂକ ଜୀବନ କାହାଣୀ ସହିତ ଆମେରିକାର ମାନବିକ ଅଧିକାର ଓ ମାନବୀୟ ମୂଲ୍ୟବୋଧ ର ସମ୍ପର୍କ କ୍ଷୀର ଓ ନୀର ପରି  ‍‍‍।

ଆମେରିକାର ଇତିହାସର ଶ୍ରେଷ୍ଠତମ ବକ୍ସର ଓ ସତୁରୀ ଦଶକରେ ପୃଥିବୀର କ୍ରୀଡା ଜଗତକୁ ଚମକେଇ ଦେଇଥିବା ମହମ୍ମଦ ଅଲୀ ଓରଫ କେସିୟସ କ୍ଲେ ଗତ ଶୁକ୍ରବାର ମୃତ୍ୟୁବରଣ କରିଛନ୍ତି ।

ନିଜକୁ ସର୍ବଶ୍ରେଷ୍ଠ ବୋଲି ଘୋଷଣା କରିବାର ସତସାହସ ଅନେକ ଲୋକଂକର ଥାଏ, ହେଲେ ଶ୍ରେଷ୍ଠତା କୁ ଗ୍ରହଣ କରିନେବାର ସାମାଜିକ ପୃଷ୍ଠଭୂମି ନିର୍ମାଣ କରିବାରେ ଅନେକ ବିଫଳ ହୁଅନ୍ତି ।

ମହମ୍ମଦ ଅଲୀ ସେ ଦୃଷ୍ଟିରୁ ନିଆରା ବ୍ୟକ୍ତିତ୍ଵ  ।  ସେ ନିଜକୁ ଶ୍ରେଷ୍ଠ ବୋଲି କହିବା ସଂଗେ ସଂଗେ ତାଂକ ଶ୍ରେଷ୍ଠତା କୁ ସାମାଜିକ ସ୍ବୀକୃତି ମିଳିଛି ।

ଆମେରିକା ଓ ସେଇ ସମୟର ପୃଥିବୀରେ ତାଂକୁ କେବଳ ଶ୍ରେଷ୍ଠ କ୍ରୀଡାବିତ୍ ର ମର୍ୟଦା ଦିଆଯାଇଥିଲା ତା ନୁହଁ , ତାଂକୁ ମାନବ ଅଧିକାର ଓ ବର୍ଣ ବିଦ୍ଵେଷ ବିରୋଧୀ ଆନ୍ଦୋଳନର ମହାନାୟକ ଭାବେ ମଧ୍ୟ ସ୍ଵୀକୃତି ମିଳିଥିଲା ।

ଯେତେବେଳେ ଇସ୍ଲାମ କୁ ସାରା ବିଶ୍ଵରେ ଅବିଶ୍ଵ।ସ ଓ ସନ୍ଦେହର ବଳୟରେ ରଖାଯାଇଥିଲା, ସେଇ ସମୟରେ ଅଲୀ ଇସ୍ଲାମ କୁ ନିଜର ଧର୍ମ ଭାବରେ ବାଛି ନେଇଥିଲେ ।

ପୃଥିବୀର ଏହି ଶ୍ରେଷ୍ଠ ବକ୍ସର୍ ଓ ଶାନ୍ତି ଦୂତଂକ ସମ୍ପର୍କରେ ଏଇ କେତୋଟି କଥା-

1. ୧୭ ଜାନୁଆରୀ ୧୯୪୨ ମସିହାରେ ମହମ୍ମଦ ଅଲୀଂକ ଜନ୍ମ, ଜଣେ ସାଇନ୍ ବୋର୍ଡ୍ ଲେଖାଲୀ ପରିବାରରେ.ବାର ବର୍ଷ ବୟସରେ କେସିୟସ କ୍ଲେନକ ସାଇକଲ ଚୋରୀ ହେଇଯାଏ ଓ ସେଇ ରାଗକୁ ଶାନ୍ତ କରିବାକୁ ଯାଇ ସେ ବକ୍ସିଂ ଶିଖିବା ଆରମ୍ଭ କରନ୍ତି ।

ଚୋରକୁ ସାବାଡ୍ କରିବା ଆଗରୁ ନିଜକୁ ମଜବୁତ କର ବୋଲି ପୋଲିସ୍ ଅଧିକାରୀ ଜୋ ମାର୍ଟିନ୍ କହିବା ପରେ କେସିୟସ୍ ବକ୍ସର ଭାବେ ରିଂଗ୍ ରେ ପ୍ରଥମେ ପାଦ ଦେଇଥିଲେ ।  ୧୯୫୪ ରେ ମାତ୍ର ୧୨ ବର୍ଷ ବୟଷରେ ସେ ତାଂକର ପ୍ରଥମ ପ୍ରତିଯୋଗିତା ରେ ଭାଗ ନେଇଥିଲେ ।

୧୯୫୯ ରେ ସେ ପ୍ରଥମ ଥର ଲାଗି ଗୋଲ୍ଡେନ ଗ୍ଲୋଭସ୍ ଟୁର୍ନାମେଂଟ୍ ରେ ଚମ୍ପିଆନ୍ ହୋଇଥିଲେ ।

2. ୧୯୬୦ ରେ ସେ ରୋମ୍ ଅଲିମ୍ପିକ୍ ରେ ଆମେରିକା ପାଇଁ ସ୍ବର୍ଣ ପଦକ ହାସଲ କରିଥିଲେ. ତେବେ ଜଣେ ଅଲିମ୍ପିକ୍ସ୍ବ ସ୍ଵର୍ଣପଦକ ବିଜେତା ହୋଇଥିଲେ ବି ନିଜ ସହର କେନ୍ତୁକୀରେ ତାଂକୁ ହୋଟେଲ୍ ରେ ଖାଇବାକୁ ଟେବଲ୍ ଟିଏ ମିଳିନଥିଲା ।

ବର୍ଣ ଭେଦର ଶୀକାର ହୋଇ ଏହାର ପ୍ରତିବାଦରେ ସେ ନିଜ ସ୍ବର୍ଣ ପଦକକୁ ଫୋଫାଡି ଦେଇଥିଲେ ।

3.ତିନି ଥର ବିଶ୍ବ ଚାମ୍ପିଆନ୍ ହେଇଥିବା କେସିୟସ୍ ଗୋଟେ ସମୟରେ ନିଜ ନାମ ଓ ଧର୍ମ ବଦଲେଇଦେଲେ , ତାର ଏକମାତ୍ର କାରଣ ଥିଲା ଆମେରିକାର ବର୍ଣ ବିଦ୍ବେଷ. କେସିୟସ୍ କୁ ଜଣେ କଳା ଦାସ ର ନାଁ ଓ ସେ ସେଇ ନାଁ କୁ ସବୁଦିନ ପରିତ୍ୟାଗ କରିଛନ୍ତି ବୋଲି ଘୋଷଣା କରିଥିଲେ ।

ନାଁ କୁ ନେଇ ରିଂଗ୍ ଭିତରେ ଅଲୀ ଓ ତାଂକ ପ୍ରତିପକ୍ଷ ନକ ଭିତରେ ଅନେକ ଝଗଡା ହୋଇଛି ।

ଇସ୍ଲାମ କୁ ପ୍ରତିବାଦ ଓ ନୁଆ ପରିଚୟର ଧର୍ମ ଭାବରେ ସେ ଗ୍ରହଣ କରିଥିଲେ.

୪. ଏକଦା ଜଣେ ସାମ୍ବାଦିକ ତାଂକୁ ଏକ ବିମାନ ଅପହରଣ ସମ୍ପର୍କରେ ପ୍ରଶ୍ନ ପଚାରି କହିଥିଲେ – ବିମାନ ଅପହରନକାରୀ ତୁମ ଧର୍ମର ଲୋକ ନୁହଁ କି? ତୁରନ୍ତ ଏହାର ଉତ୍ତର ରେ ଅଲୀ ପଚାରିଥିଲେ – ହିଟ୍ ଲର୍ ତମ ନିଜ ଲୋକ କି ?

୫. ଭିଏତନାମ୍ ଯୁଦ୍ଧ ରେ ଆମେରିକା ତରଫରୁ ଲଢ଼ିବା ଲାଗି ସେ ସ୍ପଷ୍ଟ ଭାବରେ ମନା କରିଦେଇଥିଲେ. ଏଥିପାଇଁ ତାଂକୁ ବହୁ ମୂଲ୍ୟ ଦେବାକୁ ପଡିଥିଲା. ତଥାପି ସେ ନିଜ ଆଦର୍ଶରେ ଅଟଳରହିଥିଲେ. ମାନବ ଅଧିକାର ର ସୁରକ୍ଷା ଲାଗି ସେ ନିଜର ପୂରା ଜୀବନ ଉତ୍ସର୍ଗ କରିଥିଲେ ।

୬. ରମ୍ବଲ୍ ଇନ୍ ଜଂଗଲ ଭାବେ ପରିଚିତ ତାଂକର ସର୍ବଶ୍ରେଷ୍ଠ ବକ୍ସିଂଗ୍ ବିଜୟ ପୂର୍ବରୁ ସେ କହୁଥିଲେ- ମୁଁ ତିମି ମାଚ୍ଛ ସହ ଲଢେଇ କରିଛି. ବିଜୁଳୀର ହାତରେ ହାତ କଡା ପକେଇଛି ।

ଚଡକ କୁ ଜେଲ୍ ରେ ପୂରେଇଛି । ମୁଁ ଶିଳା ଖଣ୍ଡ କୁ ହତ୍ୟା କରିଛି ଓ ପଥରକୁ ଆହତ କରିଛି. ଇଟା କୁ ନେଇ ହସପିଟାଲ୍ ରେ ପୂରେଇଛି. ମୁଁ ସେଇ ବିଚିତ୍ର ଛୋଟଲୋକ, ଯିଏ ଔଷଧକୁ ରୋଗିଣା କରିଦେବାର ସାହସ ରଖିଛି ।

୭. ନିଜ ପରିଚୟ ଓ ରାଜନୈତିକ ଦର୍ଶନ ବିଷୟରେ ଅତ୍ୟନ୍ତ ସ୍ପଷ୍ଟ ମତ ଦେବାକୁ ଯାଇ ସେ କହିଥିଲେ- ମୁଁ ନିଜେ ଆମେରିକା. ମୁଁ ତମର ସେଇ ଅଂଶ ଯାହାକୁ ତମେ ଚିହ୍ନି ନାହଁ. ହେଲେ ମୋତେ ତମକୁ ଗ୍ରହଣ କରିବାକୁ ହେବ ।

ମୁଁ କଳା, ପ୍ରକାଣ୍ଡ ଆତ୍ମ ବିଶ୍ବାସୀ, ମୋ ନାଁ ହୁଏତ ତମର ନାଁ ପରି ନୁହଁ ।  ମୋର ଧର୍ମ ତୁମର୍ ନୁହଁ ।  ମୋର ଲକ୍ଷ ମୋ ନିଜର । ମୋତେ ତମକୁ ଗ୍ରହଣ କରିବାକୁ ପଡିବ ।

୮. କଳା ଲୋକଂକ ଜୀବନ ଓ ସଂଘର୍ଷର ଗାଥା କୁ ଅତି କଠୋର ଭାଷାରେ ବର୍ଣନା କରିବାକୁ ଯାଇ ଆମେରିକାର ଏକ ନିର୍ମମ ସମାଜ ବ୍ୟବସ୍ଥା କୁ ସେ ଲଂଗଳା କରିଦେଇଥିଲେ- ୪୦୦ ବର୍ଷ ଆଗରୁ ଆମକୁ ଚାକିରୀ ଲାଗି ଏଠାକୁ ତମେ ନେଇ ଆସିଥିଲ ।

ଆମେ ନିଜେ ନିଜର ଦେଶ ଗଢିବୁ ନାହିଁ କାହିଁକି? କାହିଁକି ଆମେ କାମ ଲାଗି ତମ ଆଗରେ ହାତ ପତେଇବୁ? ଆମେ ଆମ ଭୂମି ନ ପାଇବା ଯାଏ ଆମକୁ ସ୍ବାଧିନତା ମିଳିବ ନାହିଁ. ଆମେ ୪୦ ଲକ୍ଷ କଳା ଲୋକ ହେଲେ ଆମ ନିଜର ବୋଲି ଆମ ପାଖରେ ୨ ଏକର ଜମି ନାହିଁ ।

୯. ଭିଏତନାମ୍ ଯୁଦ୍ଧ କୁ ଯିବାକୁ ମନା କଲା ବେଳେ ସେ ଯେଉଁ ବିବୃତି ରଖିଥିଲେ ତାହା ମାନବିକତାର ଇତିହାସରେ ଏକ ବିରଳ ଦୃଷ୍ଟାନ୍ତ ।  ଅଲୀ କହିଥିଲେ- ମୁଁ ଦଶ ହଜାର କିଲୋମିଟର୍ ଦୂରକୁ ଯାଇ ଗରୀବ ଭିଏତନାମ୍ ର ଅଣ ଗୋରା ଲୋକଂକ ଉପରେ ବୋମା ଫିଂଗିବି କାହିଁକି?

ଗୋରା ଲୋକଂକ ପ୍ରଭୁତ୍ଵ ପୃଥିବୀର ସବୁ କଳା ଲୋକଂକ ଉପରେ ଚାଲୁ ବୋଲି ମୁଁ ଚାହିଁବି ନାହିଁ କି ସେମାନଙ୍କୁ ସାହାଯ୍ୟ କରିବି ନାହିଁ ।

୧୦.ପୃଥିବୀର ଏହି ଅନନ୍ୟ କ୍ରୀଡାବିତ୍, ମାନବ ମୁକ୍ତିର ଯୋଦ୍ଧା ଓ କବି ପ୍ରାଣ ବକ୍ସର୍ଂକ ମୃତ୍ୟୁରେ ଆମେରିକା ର ରାଷ୍ଟ୍ରପତି ବାରାକ୍ ଓବାମା, (ଯିଏକି ଆମେରିକା ର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି )କହିଛନ୍ତି – ମହମ୍ମଦ ଅଲୀ ତାଂକ ସମୟରେ ସାରା ପୃଥିବୀରେ କମ୍ପନ ସୃଷ୍ଟି କରିଥିଲେ. ସେ କମ୍ପନ ଥିଲା ଏକ ମହାନ ବିଶ୍ବ ର ନିର୍ମାଣ ଲାଗି ଏକ କମ୍ପନ।

ଏ ପୃଥିବୀରେ ଅନେକ ଶ୍ରେଷ୍ଠ କ୍ରୀଡାବିତ୍ ହୁଏତ ଜନ୍ମ ନେବେ ହେଲେ ମହମ୍ମଦ ଅଲୀଂକ ପରି ମାନବିକତାର ଯୋଦ୍ଧା ସବୁବେଳେ ବିରଳ ଓ ଅଦ୍ବିତୀୟ ।

ବିଗ ୱାଏର