ଓଡିଶାର ବାନ୍ଧ କଳା ସମ୍ପର୍କରେ ଯାହା ଆପଣ ଜାଣିବାକୁ ଚାହାଁନ୍ତି!

Sonepur Blue Silk Saree-big

କେଦାର ମିଶ୍ର

ଓଡିଶାର ଅନନ୍ୟ ଶିଳ୍ପ ଓ କଳା ପରମ୍ପରାରେ ହସ୍ତତନ୍ତ ର ପ୍ରମୁଖ ଭୂମିକା ରହିଛି।ସୁତା ଓ ସିଲକ୍ ରେ ପ୍ରସ୍ତୁତ ହସ୍ତତନ୍ତର ବହୁ ଡିଜାଇନ୍ ପୃଥବୀ ସାରା ଓଡିଶାର ପରିଚୟକୁ ମହିମାମଣ୍ଡିତ କରିଛି।

ଶହ ଶହ ବର୍ଷ ଧରି ଓଡିଶାର ହାତ ବୁଣା ଲୁଗା ଦେଶ ବିଦେଶରେ ଆଦର ଲାଭ କରିଛି। ସମ୍ବଲପୁର୍, ସୋନପୁର୍, ବୌଦ, ତିଗିରିଆ ଇତ୍ୟାଦି ସ୍ଥାନରେ ବୁଣା ଯାଉଥିବା ହସ୍ତତନ୍ତ ଲୂଗା ର ନିଜସ୍ଵ ଶୈଳୀଓ ସ୍ଵାତନ୍ତ୍ର୍ୟ ରହିଛି।

ତେବେ ସୋନପୁର୍, ବରଗଡ ଓ ବୌଦ ଜିଲ୍ଲା ର ବୁଣାକାର ମାନେ ଏକ ସ୍ଵତନ୍ତ୍ର ଶୈଳୀରେ ବୁଣୁଥିବା ବାନ୍ଧଲୁଗାର କଲାତ୍ମକତା , କାରିଗରୀ ଓ ସୌନ୍ଦର୍ଯ୍ୟ ସବୁଠୁ ଅଲଗା।ଏହି ବିରଳ ବାନ୍ଧକଳା ସମ୍ପର୍କରେ ଜାଣିବା-

୧. ବାନ୍ଧଶବ୍ଦର ମୂଳ ଅର୍ଥ ହେଉଛି ବାନ୍ଧିବା। ଏସିଆ ମହାଦେଶର ବିଭିନ୍ନ ପ୍ରାନ୍ତରେ ଏହି ବୟନ କୌଶଳ କୁ ଟାଏ ଆଣ୍ଡ୍ ଡାଏ ବୋଲି କୁହାଯାଇଥାଏ ।ଇଣ୍ଡୋନେସିଆ ରେ ଏହାକୁ ଇକକତ୍ ବୋଲି ମଧ୍ୟ କୁହାଯାଏ।

ଭାରତର ଓଡିଶା ସମେତ ଗୁଜରାଟ୍, ଛତିଶଗଡ, ଆନ୍ଧ୍ର ଓ ତାମିଲନାଡୁ ଇତ୍ୟାଦି ରାଜ୍ୟର ବୁଣାକାର ମାନେ ଏହି କଳା କୌଶଳ ଅବଲମ୍ବନ କରିଥାନ୍ତି।

୨. ବାନ୍ଧକଳା ରେ ବସ୍ତ୍ର ବୟନ ର ବହୁ ପୁର୍ବରୁ ସୁତା ରେ ଗନ୍ଥୀ ପକେଇ ଆବଶ୍ୟକୀୟ ଡିଜାଇନ୍ ପ୍ରସ୍ତୁତ କରାଯାଇଥାଏ। ଅନ୍ୟ ବୟନ କଳାରେ ତନ୍ତ ଉପରେ କିମ୍ବା ବସ୍ତ୍ର ପ୍ରସ୍ତୁତି ପରେ ଡିଜାଇନ୍ କରାଯାଇଥାଏ।ପ୍ରିଣ୍ଟ୍, କଢେଇ କିମ୍ବା ବୁଣେଇ କୌଶଳ ଠାରୁ ବାନ୍ଧକଳା ନିତାନ୍ତ ଅଲଗା।

boya_saree_106_2ଏଥିରେ ସୁତାର ଗୋଂଠି ଓ ଖୋଲା ଅଂଶ ଭିତରେ ସମନ୍ଵୟ ରଖି ରଂଗ ରେ ସୁତା କୁ ବୁଡା ଯାଏ।ବାନ୍ଧିବା (tye) ଓ ରଂଗ କରିବା (dye) ର ଏହି ସୁକ୍ଷ୍ମ କଳା କୌଶଳ ଓଡିଶାର ବୁଣାକାର ମାନଂକ ହାତରେ ବିକଶିତ ହୋଇଛି।

୩. ପୁରୁଷାନୁକ୍ରମେ ପଶ୍ଚିମ ଓଡିଶାର କେତେକ ବୁଣାକାର ଜାତି ଏହି କଳା କୌଶଳକୁ ବଂଚାଇ ରଖିଛନ୍ତି। ପୁରା ପରିବାର ବାନ୍ଧନିର୍ମାଣ, ରଂଗ ତିଆରି, ରଂଗ ପ୍ରୟୋଗ, ବନ୍ଧ ଖୋଲା ଓ ବୁଣା କାମରେ ନିୟୋଜିତ ରୁହନ୍ତି।

ପାରମ୍ପାରିକ ଡିଜାଇନ୍ ଯଥା – ମାଚ୍ଛ, ଗଚ୍ଛ,ଲତା, ପତ୍ର, ଲକ୍ଷ୍ମୀ ପାଦ, ଝୋଟି , ହଂସ, କୁମ୍ଭ, ଗଜ, ସିଂହ, ମୟୂର, ପଦ୍ମ, ତ୍ରିଭୁଜ, ଚୌକ ଇତ୍ୟାଦି ର ଚିତ୍ର କୁ ସୁତାର ଗୋଂଠି ରେ ଆଁକିବାକୁ ପଡେ। ଏହା ହିଁ ବାନ୍ଧକଳାର ସବୁଠୁ ବଡ ଆକର୍ଷଣ।

୪. ଅନେକ ସମୟରେ ପ୍ରାକୃତିକ ପଦାର୍ଥ ଯଥା ଗଛର ଛେଲି, ପତ୍ର, ପଥର, ଅଂଗାର, ହରିତାଳ, ଗୁଗୁଲ ଇତ୍ୟାଦି ର ମିଶ୍ରଣରେ ପ୍ରାକୃତିକ ରଂଗ ପ୍ରସ୍ତୁତ କରାଯାଇଥାଏ ।

ତେବେ ବର୍ତ୍ତମାନ ସମୟରେ ରାସାୟନିକ ରଂଗର ପ୍ରୟୋଗ ମଧ୍ୟ କରାଯାଉଛି।ରଂଗ ଓ ବନ୍ଧର ଭାଗମାପ ତଥା ଏକ ଅମୂର୍ତ୍ତ କାନଭାସ୍ ରେ ଚିତ୍ର ନିର୍ମାଣ କରିବାର ଜଟିଳ ଓ ସୂକ୍ଷ୍ମ କାର୍ଯ୍ୟଟି ବାନ୍ଧଶିଳ୍ପୀ କରିଥାଏ ।

୫. ଐତିହାସିକ ଦୃଷ୍ଟିରୁ ଓଡିଶାରେ ବାନ୍ଧକଳାର ଉତ୍ପତ୍ତି ସମ୍ପର୍କରେ କୌଣସି ତଥ୍ୟ ମିଳେ ନାହିଁ। ଶହ ଶହ ବର୍ଷ ଧରି କୌଳିକ ବୃତ୍ତି ଭାବରେ ଓ ବଂଶାନୁକ୍ରମିକ କଳା ଭାବରେ ଏହାକୁ ବୁଣାକାର ମାନେ ଗତିଶୀଳ କରିଚାଲିଛନ୍ତି।ପୁରୁଣା ରେକର୍ଡ଼ ଅନୁଯାୟୀ ବିଦେଶରେ ବାନ୍ଧଶାଢୀ ର ପ୍ରଦର୍ଶନୀ ୧୬୬ ବର୍ଷ ଆଗରୁ ଅନୁଷ୍ଠିତ ହୋଇଥିଲା।

୧୮୫୦ ମସିହାରେ ଲଣ୍ଡନ ସ୍ଥିତ ଭିକଟୋରିଆ- ଆଲବର୍ଟ୍ ସଂଗ୍ରହାଳୟ ରେ ସମ୍ବଲପୁରୀ ବାନ୍ଧଶାଢୀ ର ପ୍ରଦର୍ଶନୀ ହୋଇଥିଲା।

ଏହି ସଂଗ୍ରହାଳୟ ସମେତ ପ୍ୟାରିସ୍ ରେ ମଧ୍ୟ ଏହି ସମୟ ରେ ସମ୍ବଲପୁରୀ ବାନ୍ଧଶାଢୀ ପ୍ରଦର୍ଶନ କରାଯାଇଥିଲା।

୬. ଅଶୀ ଦଶକରେ ଓଡିଶାର ହସ୍ତତନ୍ତ ଓ ବାନ୍ଧଶାଢୀ କୁ ଜାତୀୟ ସ୍ତରରେ ପହଞ୍ଚାଇବାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକା ଅବିସ୍ମରଣୀୟ। ସେ ଥିଲେ ସେ ସମୟରେ ବାନ୍ଧଶାଢିର ଏକପ୍ରକାର ବ୍ରାଣ୍ଡ୍ ଆମବାସାଡର୍।

୭. ସ୍ଵାଧିନତା ପରେ ଏହି କଳା ର ବିକାଶ ଲାଗି ସମବାୟ ସମିତି ଜରିଆରେ ସରକାରୀ ପ୍ରୋତ୍ସାହନ ଦିଆଗଲା। ତେବେ ଏହି ସୂକ୍ଷ୍ମ ଓ ଅନନ୍ୟ କଳାର ବଜାର ସୃଷ୍ଟି କରିବାରେ ଏଯାବତ୍ କୌଣସି ଠୋସ୍ ଉଦ୍ୟମ କରାଯାଇନାହିଁ।

ବାନ୍ଧର ପାରମ୍ପାରିକ ଡିଜାଇନ୍ ସବୁ ଆସ୍ତେ ଆସ୍ତେ ଲିଭିଯିବାକୁ ବସିଲାଣି, ଏହାର ସଂରକ୍ଷଣ ପାଇଁ କୌଣସି ସରକାରୀ ଯୋଜନା ନାହିଁ।

Barhampuri Off White & Maroon Ikat(Tie & Die) Cotton Saree୮. ବାନ୍ଧକଳାର ବିକାଶ ଓ ବଜାର ସୃଷ୍ଟି କ୍ଷେତ୍ରରେ ବରପାଲି, ବରଗଡ ଓ ସୋନପୁରର କେତେଜଣ ସୃଜନଶୀଳ ଶିଳ୍ପୀ ନିଜର ପ୍ରଚୁର ଅବଦାନ ଦେଇ ଯାଇଛନ୍ତି। ଷାଠିଏ ଓ ସତୁରୀ ଦଶକରେ କୃତାର୍ଥ ଆଚାର୍ଯ୍ୟ ସମ୍ବଲପୁରୀ ବାନ୍ଧକଳାର ବିକାଶ ପ୍ରକ୍ରିୟାକୁ ତ୍ଵରାନ୍ୱିତ କରିଥିଲେ।

ତାଂକ ସହିତ ହସ୍ତତନ୍ତ ଡିଜାଇନ୍ ପ୍ରସ୍ତୁତି କ୍ଷେତ୍ରରେ ଯଦୁନାଥ ସୂପକାର୍ ଅନେକ ଅଭିନବ ପ୍ରୟୋଗ କରିଥିଲେ।ଉଭୟ ଶ୍ରୀ ଆଚାର୍ଯ୍ୟ ଓ ଶ୍ରୀ ସୂପକାରଂକୁ ପଦ୍ମଶ୍ରୀ ସମ୍ମାନ ରେ ସମ୍ମାନିତ କରାଯାଇଥିଲା।

୯. ପରବର୍ତୀ ସମୟରେ ବୁଣାକାର ଶିଳ୍ପୀ ଭାବରେ ମୋହନ ମେହେର, ପଦ୍ମଶ୍ରୀ କୁଂଜବିହାରୀ ମେହେର, ପଦ୍ମଶ୍ରୀ ଚତୁର୍ଭୁଜ ମେହେର, ପଦ୍ମଶ୍ରୀ କୈଳାସ ମେହେର ପ୍ରମୁଖ ବାନ୍ଧକଳାରେ ଅନେକ ନୂତନ ପ୍ରୟୋଗ ମାନ କରିଛନ୍ତି।

ସୋନପୁରର ପ୍ରଖ୍ୟାତ ବାନ୍ଧଶିଳ୍ପୀ ସ୍ବର୍ଗତ ମୋହନ ମେହେର ସଂଗୀତ, ସାହିତ୍ୟ ଓ ବାନ୍ଧକଳାର ଅପୂର୍ବ ସମନ୍ଵୟ ସୃଷ୍ଟି କରି ବହୁ ନୂତନ ବାନ୍ଧତିଆରି କରି ଯାଇଛନ୍ତି।

ଚତୁର୍ଭୁଜ ମେହେର ଜଣେ ଅପୂର୍ବ କୁଶଳୀ ବୁଣାକାର ଓ ବାନ୍ଧର ବଜାର କୁ ସମ୍ପ୍ରସାରିତ କରିବାରେ ଜଣେ ଅଗ୍ରଣୀ ସାରଥୀ।

୧୦. ଓଡିଶାରେ ପ୍ରାୟ ଅଢେଇ ଲକ୍ଷ ବୁଣାକାର ରହିଛନ୍ତି ଓ ସେମାନଂକ ଭିତରୁ ଅଳ୍ପ କେତେଜଣ ବାନ୍ଧକଳା ଲାଗି ଉତ୍ସାହୀ। ବାନ୍ଧଲାଗି ପ୍ରଚୁର ପରିଶ୍ରମ ଓ ସମୟ ବିନିଯୋଗ କରିବାକୁ ପଡୁଥିବାବେଳେ ଏହାର ବଜାର ମୂଲ୍ୟ ସେତେ ବେଶୀ ନୁହଁ।

ତେଣୁ ଅଧିକରୁ ଅଧିକ ବୁଣାକାର ସିଲକ୍ ଓ ବମକାଇ କାମରେ ମନ ଦେଉଛନ୍ତି।ପୁରୁଣା କାରିଗରୀ ର ଶକଟାପର ଏବେ ଆଉ ଦେଖିବାକୁ ମିଳୁନାହିଁ।ସେହିପରି ଦୋ ମୁହିଁ ( ଦୁଇ ଆନଚଲ୍ ଥିବା ଶାଢୀ) ମଧ୍ୟ ଏବେ ପ୍ରାୟ ବିରଳ ।

ଓଡିଶା ଡଟକମ