ମଣିମାଳା ଦେବୀଙ୍କ ସମ୍ପର୍କରେ ଯାହା ଆପଣ ଜାଣିବାକୁ ଚାହାନ୍ତି!

manimala1 - Copy

କେଦାର ମିଶ୍ର

୧୫, ଜୁନ୍ ସଂଧ୍ୟାରେ ଖବର ଆସିଲା ମଣିମାଳା ଦେବୀ ଚାଲିଗଲେ। ଯେଉଁମାନେ ଓଡିଆ ଥିଏଟର୍ ଓ ସିନେମାର ଇତିହାସ ସହ ଜଡିତ ସେମାନଂକ ପାଇଁ ତାହା ଥିଲା ଏକ ଦୁଖଦ ଖବର।

ତେବେ ଖବର ଆସିବାର ଅଧ ଘଣ୍ଟା ଭିତରେ ଜଣାପଡିଲା ଯେ ଖବର ଟି ସତ୍ୟ ନୁହଁ। ଆଶ୍ଵସ୍ଥ ଲାଗିଲା। ଯା’ ହେଉ ଅନ୍ନପୂର୍ଣ୍ଣା ଥିଏଟର୍ ର ମହାନାୟିକା ଆମ ଗହଣ ରେ ଏବେବି ଅଛନ୍ତି। ତେବେ ୧୬, ଜୁନ୍ ସକାଳେ ପୁଣି ଖବର ଆସିଲା ମଣିମାଳା ଦେବୀ ସବୁଦିନ ପାଇଁ ଆଖି ବୁଜିଦେଲେ।

ପଚାଶ ରୁ ସତୁରୀ ଦଶକ ଯାଏ ଓଡିଆ ସିନେମାରେ ମଣିମାଳା ଦେବୀ ଥିଲେ ଅନ୍ୟତମ ଚର୍ଚିତ ନାୟିକା।୧୯୬୦ ରୁ ପ୍ରାୟ ପଚାଶ ବର୍ଷ ଧରି ଓଡିଆ ସିନେମାରେ ଓ ୧୯୩୭ ରୁ ୧୯୬୦, ପ୍ରାୟ ୨୩ ବର୍ଷ ପେଶାଦାର ଥିଏଟର୍ ରେ ମଣିମାଳା ଦେବୀଙ୍କ ଯାଦୁକରୀ ଅଭିନୟ ଦର୍ଶକଂକୁ ବାନ୍ଧି ରଖିଥିଲା।

ସେ ଥିଲେ ଗୋଟେ ଯୁଗର ନାୟିକା।ଯେଉଁ ସମୟରେ ଓଡିଆ ଝିଅ ଘରର ଏରୁଣ୍ଡି ଟପିବା ଅସମ୍ଭବ ଥିଲା, ସେଇ ସମୟରେ ସାତ ବର୍ଷର ବାଳିକା ମଣିମାଳା ରଂଗ ମଂଚର ମୋହରେ ଘର ଛାଡ଼ି ମଂଚକୁ ସବୁଦିନ ଲାଗି ନିଜର ଜୀବନ ଭାବେ ବରଣ କରିନେଇଥିଲେ।

ଓଡିଆ ସିନେମାର ଏହି ମହାନାୟିକାଂକ କଳା ଓ ଜୀବନକୁ ନେଇ କିଛି କଥା-

୧. ମଣିମାଳା ଦେବୀ,୧୯ ,ଜୁନ୍ ୧୯୩୧ ରେ କଟକ ଜିଲ୍ଲା ବାଲିବିସି ଗାଁ ରେ ଜନ୍ମ ଗ୍ରହଣ କରିଥିଲେ ।

ମାତ୍ର ସାତ ବର୍ଷ ବୟସ ରେ ସେ ଆସିଥିଲେ ଓଡିଶା ଇତିହାସରେ ରଂଗମଂଚର ସୁବର୍ଣ ଅଧ୍ୟାୟ ସୃଷ୍ଟି କରିଥିବା ଅନ୍ନପୁର୍ଣା ରଂଗମଂଚ- ଏ ସମ୍ପର୍କରେ ସୂଚନା ଦେବାକୁ ଯାଇ ପ୍ରଖ୍ୟାତ ଅଭିନେତା ଓ ନିର୍ଦ୍ଦେଶକ ସ୍ବର୍ଗତ ଦୁର୍ଲଭ ଚନ୍ଦ୍ର ସିଂ ତାଂକ ଆତ୍ମ ଜୀବନୀ ରେ ଲେଖନ୍ତି- “ ୧୯୩୯ ମସିହାରେ ବାଉରୀବନ୍ଧୁ ବାବୁ ପ୍ରଥମ କରି କେତୋଟି ଅଭିନେତ୍ରୀ ଆଣି ଅନୁଷ୍ଠାନ ରେ ରଖାଇଲେ।

ଶ୍ରୀମତୀ କାନନବାଲା, ରାଧାରାଣୀ, ପ୍ରତିମା ବୋଷ୍ ଓ ବୁଦ୍ଧିମତୀ କେତୋଟି ଝିଅଂକୁ ଆଣି ସେମାନଂକ ସହିତ ପୁଅ ପିଲାଂକୁ ସ୍ତ୍ରୀ ସଜାଇ ନାଟକ ମାନ ମଂଚସ୍ଥ କରାଗଲା।ତାହାପରେ କ୍ରମେ ଏହି ଅନୁଷ୍ଠାନରେ ଯୋଗଦେଲେ ଆହୁରି କେତୋଟି ଝିଅ।

ସେମାନେ ହେଲେ- ସରସ୍ଵତୀ,ହୀରା,ରତ୍ନା,ପ୍ରମିଳା,ନିର୍ମଳା, ଭାନୁମତୀ,ଲକ୍ଷ୍ମୀ,ବାସନ୍ତୀ,ପୁର୍ଣିମା ଓ ମଣିମାଳା.” ଏଇଠୁ ଆରମ୍ଭ ହୁଏ ମଣିମାଳା ଦେବୀଙ୍କ ଦୀର୍ଘ କାଳୀନ ତପସ୍ୟା ।

୨. ଅନ୍ନପୁର୍ଣା – ଏ ର ପ୍ରଖ୍ୟାତ ନାଟକ ଚଂଡାଲୁଣୀ, ଜାନକୀ, ଚଷା ଝିଅ, କଳା ପାହାଡ, ମୁକ୍ତି କୋଣାର୍କ ଇତ୍ୟାଦିରେ ମଣିମାଳା ଦେବୀ ଅଭିନୟର ସୁଯୋଗ ପାଇଥିଲେ।ତେବେ ଶ୍ରୀ ଜୟଦେବ ନାଟକରେ ତାଂକର ଅଭିନୟ ଏକ ନୁଆ ଅଧ୍ୟାୟ ସୃଷ୍ଟି କରିଥିଲା।

ମଣିମାଳା ଦେବୀ ସେତେବେଳେ ଅଭିନୟ ଜଗତରେ ଏକ ପ୍ରଖ୍ୟାତ ତାରକା ପାଲଟି ଗଲେ। ଓଡିଆ ମଧ୍ୟବିତତଂକ ମନୋରଂଜନ ର ଏକମାତ୍ର ମାଧ୍ୟମ ଭାବରେ ସେତେବେଳର ପେଶାଦାର ରଂଗମଂଚ ଇତିହାସ ସୃଷ୍ଟି କରିଥିଲା।

ସେ ଇତିହାସରେ ମଣିମାଳା ଦେବୀ ଏକ ଅମ୍ଲାନ ସ୍ଵାକ୍ଷର ।

୩. ୧୯୬୦ ମସିହାରେ ପ୍ରଥମ ଥର ଲାଗି ମଣିମାଳା ଦେବୀ “ଶ୍ରୀ ଲୋକନାଥ” ସିନେମାରେ ନାୟିକା ଭୂମିକାରେ ଅଭିନୟ କରିଥିଲେ।ସେହି ବର୍ଷ ଏହି ଚିତ୍ରଟି ରାଷ୍ଟ୍ରପତି ପୁରଷ୍କାର ଲାଭ କରିଥିଲା.

୪. ଏହା ପରେ ଲକ୍ଷ୍ମୀ, ସୂର୍ୟମୁଖୀ, ଅଭିନେତ୍ରୀ, ମଲାଜହ୍ନ, କା, ଭାଇ ଭାଉଜ, ଜୀବନ ସାଥୀ ଇତ୍ୟାଦି ସିନେମାରେ ତାଂକ ଅଭିନୟର ପରାକାଷ୍ଠା ଦେଖିବାକୁ ମିଳିଥିଲା।ସାମୁଏଲ୍ ସାହୁ ଓ ମଣିମାଳା ଦେବୀଙ୍କ ଯୋଡି ସେତେବେଳେ ବେଶ୍ ଚର୍ଚାରେ ରହିଥିଲା ।

୫. ଜୀବନରେ ସ୍କୁଲ୍ ଦରଜା ମାଡି ନଥିବା ମଣିମାଳା ଦେବୀ ପରବର୍ତ୍ତୀ ସମୟରେ ଓଡିଆ କଳାତ୍ମକ ସିନେମାର ଦୁଇ ମହାନ ନିର୍ମାତା ନିର୍ଦ୍ଦେଶକ ନୀରଦ ମହାପାତ୍ର ଓ ମନମୋହନ ମହାପାତ୍ରଂକ ପ୍ରିୟ ଅଭିନେତ୍ରୀ ପାଲଟି ଗଲେ।

ନୀରଦ ବାବୁଂକ ଏକମାତ୍ର ସିନେମା “ମାୟା ମିରିଗ” ରେ ଏକ ଗୁରୁତ୍ବପୂର୍ଣ ଭୂମିକାରେ ମଣିମାଳା ଦେବୀ ଜୀବନ୍ତ ଅଭିନୟ କରିଥିଲେ। ମନମୋହନ ମହାପାତ୍ରଂକ “କ୍ଲାନ୍ତ ଅପରାହ୍ନ’, “ନିଷିଦ୍ଧ ସ୍ବପ୍ନ”, “କିଛି ସ୍ମୃତି କିଛି ଅନୁଭୁତି ଓ “ଅନ୍ଧ ଦିଗନ୍ତ”ରେ ମଣିମାଳା ଦେବୀ ବହୁ ପ୍ରକାର ଭୂମିକାରେ ନିଜ ଅଭିନୟର କୁହୁକ ଛାଡ଼ି ଯାଇଛନ୍ତି ।

୬. ମଣିମାଳା ଦେବୀ ହେଉଛନ୍ତି ସେଇ ପିଢୀର ନାୟିକା, ଯେଉଁ ପିଢୀ ଓଡିଆ ଜଣ ଜୀବନର ପ୍ରାଣ ପ୍ରବାହକୁ ନିଜ ଅଭିନୟର ମଂଜି ଭାବେ ଗ୍ରହଣ କରିଥିଲା।ତେଣୁ ମଣିମାଳାନ୍କ ଠାଣୀ, ଚାହାଣୀ, ଚାଲି ଓ ଚରିତ୍ର ରେ ପକ୍କା ଓଡିଆଣୀର ଛାପ ରହିଥିଲା।

ବୋଧେ ତାଂକ ପରେ ଶତ ପ୍ରତିଶତ ଓଡିଆଣୀର ଚେହେରା ଆଉ ଓଡିଆ ସିନେମାରେ ଦେଖବାକୁ ମିଳିବ ନାହିଁ ।

manimala2୭. ସେ ବୋଧେ ଏକମାତ୍ର ଓଡିଆ ଅଭିନେତ୍ରୀ ଯିଏ ଅଭିନୟ କରିଥିବା ପ୍ରାୟ ୪୦ ଟି ସିନେମା ରୁ ୧୪ ଟି ଜାତୀୟ ପୁରଷ୍କାର ପାଇଛି।ତାଂକ ଅଭିନୟର ମୌଳିକତା ଓ ପ୍ରଭାବ ବିଷୟରେ ଅନେକ କଥା ଏଯାଏ ଲେଖା ଯାଇ ପାରିନାହଁ।

ଆମ ସିନେମା ସମାଜର ର ସବୁଠୁ ଦୁର୍ବଳ ଦିଗ ହେଉଛି ଆମର ଇତିହାସ ପ୍ରତି ଉପେକ୍ଷା ମଣିମାଳା ଦେବୀଙ୍କ ଜୀବନ ସହିତ ଓଡିଆ ସିନେମା ଓ ପେଶାଦାର ରଂଗମଞ୍ଚର ଇତିହାସ ଅଙ୍ଗାଙ୍ଗୀ ଭାବେ ଜଡିତ ସେ ଇତିହାସ ଆଜି ସବୁଦିନ ଲାଗି ନୀରବ। ତାକୁ ଆମେ ସାଇତି ରଖି ପାରିଲେ ନାହିଁ ।

୮. ଅଭିନୟ ଲାଗି ମଣିମାଳା ଦେବୀନକୁ ଓଡିଶା ସରକାରଂକ “ଜୟଦେବ ପୁରଷ୍କାର “ ଓ ସଂଗୀତ ନାଟକ ଏକାଡେମୀ ପୁରଷ୍କାର ପ୍ରଦାନ କରାଯାଇଛି ।

୯. ଆଜୀବନ କଳା ପାଇଁ ସମର୍ପିତ ମଣିମାଳା ଦେବୀ ବ୍ୟକ୍ତିଗତ ଜୀବନରେ ଯେଉଁ ସଂଘର୍ଷ ଓ ଅନାଟନର ସାମନା କରିଥିଲେ ତାହା କୌଣସି ସିନେମାର କରୁଣ ଦୃଶ୍ୟଠୁ କମ୍ ନୁହଁ।

ଆଜି ତାଂକ ମୃତ୍ୟୁ ପରେ ଅନେକ ଶୋକ ପ୍ରସ୍ତାବ ଆସିବ, ହେଲେ ଜୀବନ କାଳରେ ଏ ଜାତିର ଅନ୍ୟତମ ଶକ୍ତିଶାଳୀ ଅଭିନେତ୍ରୀ ଓ ସାହସୀ ମହିଳାଂକ ପ୍ରତି ଆମେ ଆମର ଦାୟିତ୍ବ ବିଲକୁଲ୍ ତୁଲାଇବାରେ ବିଫଳ ହୋଇଛୁ ।

୧୦. ମଣିମାଳା ଦେବୀ ଓଡିଆ ନାରୀ ଲାଗି ଗୋଟେ ନୁଆ ମୁକ୍ତିର ବାର୍ତା ନେଇ ଆସିଥିଲେ।ତାଂକ ପରି କିଛି ଝିଅ ଚାଳିଶ ଦଶକରେ ଗୋଡ କାଢି ମଂଚକୁ ଆସିଥିଲେ ବୋଲି ଆଜି ଏତେ ଏତେ ଅଭିନେତ୍ରୀ ଓ ତାରକାଂକ ଭିଡ। ଆଜିର ସବୁ ଅଭିନେତ୍ରୀ ଓ ନର୍ତକୀ ମଣିମାଳା ଦେବୀଙ୍କ ପ୍ରତି କୃତଜ୍ଞା ହେବାକୁ ବାଧ୍ୟ ।

ସୌଜନ୍ୟ:  ଓଡିଶା ଡଟ କମ