ପରମ୍ପରା

ଓଡିଶାର ପାରମ୍ପରିକ ତାସ ‘ଗଂଜପା’ସମ୍ପର୍କରେ ୧୦ଟି ତଥ୍ୟ

Reading Time: 1 minutes

ganjapa1

କେଦାର ମିଶ୍ର

କଳା ଓ କ୍ରୀଡାର ସମ୍ପର୍କ ଖୁବ୍ ବେଶୀ ନିବିଡ଼ ନୁହଁ। କଳା ସୂକ୍ଷ୍ମ ଓ ଆତ୍ମିକ ହୋଇଥିବା ବେଳେ କ୍ରୀଡା ସ୍ଥୂଳ ଓ ଅନେକାଂଶରେ ଶାରୀରିକ ଶକ୍ତି ସହ ସମ୍ପୃକ୍ତ। ତେବେ ସବୁ କ୍ରୀଡା ଶାରୀରିକ କୌଶଳ ର ସୀମା ଭିତରେ ରହି ନଥାନ୍ତି।

ଅନେକ କ୍ରୀଡା ଅଛି ଯାହା କେବଳ ମସ୍ତିସ୍କ ଓ ଭାବନା ଶକ୍ତିକୁ ଶାଣିତ କରିଥାଏ। ଯେମିତି ଚେସ୍, ପଶା, ତାସ୍ ଇତ୍ୟାଦି। ମାନସିକ ଶକ୍ତି ସହ ନିର୍ଭରଶୀଳ କ୍ରୀଡାରେ ସୂକ୍ଷ୍ମ କଲାତ୍ମକ ରୂପ ଦେଖିବାକୁ ମିଳିଥାଏ। ଯେମିତି ତାସ୍ ଖେଳର ରଂଗ, ରେଖା ଓ ଚିତ୍ରରେ ବହୁ ନୁଆ ପ୍ରୟୋଗ ହୋଇଥାଏ।

ପଶାପାଲି ନିର୍ମାଣ ସହ କଲାତ୍ମକତା ର ସମ୍ପର୍କ ରହିଆସିଛି। କଳା ଓ କ୍ରୀଡାର ସବୁଠୁ ସୁନ୍ଦର ସମନ୍ଵୟ ଦେଖିବାକୁ ମିଳେ ଓଡିଶାର ‘ଗଂଜପା’ ରେ। ଏହି କଳା ର ଉଦ୍ଭବ ଓ ବିକାଶ ସମ୍ପର୍କରେ ଐତିହାସିକ ମାନଂକର ଭିନ୍ନ ଭିନ୍ନ ମତ ରହିଛି। ଏବେ ‘ଗଂଜପା’ କୁ ନେଇ କିଛି କଥା-

୧ . ‘ଗଂଜପା’ ଶବ୍ଦ ର ଆକ୍ଷରିକ ଅର୍ଥ କୁ ନେଇ କୌଣସି ନିର୍ଦିଷ୍ଟ ମତ ନାହିଁ।

ତେବେ ଓଡିଶାର ତିନୋଟି ଅଂଚଳରେ ଏହାର ଅଲଗା ଅଲଗା ନାଁ ରହିଛି। କେହି କେହି ଏହାକୁ ତାସ୍ ବୋଲି କହୁଥବା ବେଳେ ଗାଁ ରେ ଏହାକୁ “ସାର” ବା “ଚକାସାର” ବୋଲି କୁହନ୍ତି। ସାର କୁ ଆମେ ତାସ୍ ଖେଳ ର ସେଟ୍ ସହ ତୁଳନା କରିପାରିବା ।

ତେବେ ତାସ୍ ଖେଳରେ ଗୋଟିଏ ସେଟ୍ ରେ ପତା ସଂଖ୍ୟା ସ୍ଥିର ରହିଥିବା ବେଳେ ‘ଗଂଜପା’ ର ସ୍ଥାନ ଭେଦରେ ସାର ରେ ଭିନ୍ନ ଭିନ୍ନ ସଂଖ୍ୟା ର ଚକି ରହିଥାଏ।

ganjapa୨. ତାସ୍ ପତା ଆୟତାକାର ହୋଇଥିବା ବେଳେ ‘ଗଂଜପା’ ର ଆକୃତି ଗୋଲାକାର। ସେଥିଲାଗି ଏହାକୁ ଚକି ବୋଲି କୁହାଯାଏ। ଓଡିଶାର ଗଂଜାମ, ପୁରୀ ଓ ସୋନପୁର ଜିଲାର ଚିତ୍ରକର ମାନେ ‘ଗଂଜପା’ ତିଆରି କରିବା ସହିତ ଏହାର କ୍ରୀଡା କୌଶଳକୁ ପ୍ରସାରିତ କରନ୍ତି।

୩ . ଐତିହାସିକ ଭାବେ ମୋଗଲ୍ ଗଂଜିଫା ରୁ ‘ଗଂଜପା’ ର ସୃଷ୍ଟି ବୋଲି କୁହାଯାଏ। ତେବେ ୟୁରୋପୀୟ ମାନେ ଭାରତକୁ ଆସିବା ସହିତ ଆମ ଦେଶରେ ତାସ୍ ର ପ୍ରବେଶ ମଧ୍ୟ ଘଟିଛି। ତେଣୁ ‘ଗଂଜପା’ କୁ ମୋଗଲ୍ ଓ ୟୁରୋପୀୟ କଳା ର ମିଶ୍ରଣ ବୋଲି କେହି କେହି ବିଚାର କରନ୍ତି।

୪. ବଂଗଳା ର ବିଷ୍ଣୁପୁର ଶାସକ ମାନେ ଦଶାବତାର ଓ ଦିଗପାଳ ‘ଗଂଜପା’ ପ୍ରବର୍ତନ କରିଥିଲେ। ତେବେ ପୁରୀ ଚିତ୍ରକର ପରମ୍ପରାରେ ଦଶାବତାର ଓ ଦିଗପାଳ ‘ଗଂଜପା’ କେମିତି ଆସିଲା ତାର ଐତିହାସିକ ସୁତ୍ର ଏଯାଏ ଖୋଜା ଯାଇପାରିନାହିଁ।

୫. ଗୋଟେ ‘ଗଂଜପା’ ସାର ବା ସେଟ୍ ରେ ୯୬/୧୨୦/୧୪୪ ଟି ଚକି ରହିଥାଏ। ପ୍ରତ୍ୟେକ ସାର ରେ ରଂଗଭେଦ ମଧ୍ୟ ଅଲଗା। ଆଠରଂଗୀ, ଦଶ ରଂଗୀ, ବାର ରଂଗୀ, ଚୌଦ ରଂଗୀ, ଷୋହଳ ରଂଗୀ ଓ କୋଡିଏ ରଂଗୀ ‘ଗଂଜପା’ ସବୁ ରଂଗ ଦୃଷ୍ଟିରୁ ନିଆରା ।

୬. ରଘୁରାଜ ପୁର ଓ ଗଂଜାମ ରେ ଦଶାବତାର ‘ଗଂଜପା’ ଅଧିକ ପ୍ରଚଳିତ ଥିବା ବେଳେ ସୋନପୁର ‘ଗଂଜପା’ ରେ ରାମାୟଣ ର ରାମ ରାବଣ ଯୁଦ୍ଧ କୁ ପ୍ରଦର୍ଶିତ କର ଯାଇଥାଏ। ସୋନପୁର୍ ‘ଗଂଜପା’ ରାମ, ରାବଣ, ଇନ୍ଦ୍ରଜିତ ଓ ମାଂକଡ ନକ ରଂଗ ଅଲଗା ଅଲଗା।

୭. ‘ଗଂଜପା’ ଚକି ଓ ରଂଗ ତିଆରି ର ନିର୍ଦିଷ୍ଟ ଦେଶୀ ପ୍ରକ୍ରିୟା ରହିଛି। କପଡା ରେ ତେନ୍ତୁଳି ମଣ୍ଡ ଓ ଅଠା ଦେଇ ଚକି କୁ ଟାଣ କରାଯାଏ। ସେହିପରି ଗୁଗୁଲ, ହରିତାଳ, ଅଂଗାର,ପଥର,ମାଟି,ପୋଡାପତ୍ର ଓ ଶୁଖିଲା ପତ୍ର ଗୁଣ୍ଡ ରୁ ରଂଗ ତିଆରି କରାଯାଏ।

୮. ସମୟକ୍ରମେ ‘ଗଂଜପା’ କ୍ରୀଡାର ଆଦର କମି ଆସୁଛି। ଏହାର ଖେଳାଳୀ ଓ ରସିକଂକ ସଂଖ୍ୟା ମଧ୍ୟ କମି କମି ଆସୁଛି। ତେଣୁ ‘ଗଂଜପା’ ର ଅଂକନ ଶୈଳୀ ରେ ପରିବର୍ତନ ଆସୁଛି।

ଏବେ ବିଦେଶୀ ଗ୍ରାହକଂକୁ ଆକର୍ଷିତ କରିବା ଲାଗି “ବନ୍ଧ ଗଂଜପା” ତିଆରି କରାଯାଉଛି। କାମ ସୂତ୍ର ରେ ରହିଥିବା ଚୌଶଠି ବନ୍ଧ ଏଥିରେ ଅଂକିତ ହୁଏ।

ganjapa3୯. ସମ୍ପ୍ରତି ସୋନପୁର୍ ‘ଗଂଜପା’ ର କୁଶଳୀ କାରିଗର ମାନେ ପ୍ରାୟ ଆଉ ନାହାନ୍ତି।

ବିଶିଷ୍ଟ ଶିଳ୍ପୀ ଜ୍ଞାନୀ ମହାରଣ ନକ ପରେ ନୁଆ ପିଢି ର ବିଶେଷ ଆଗ୍ରହ ଆଉ ନାହିଁ। ‘ଗଂଜପା’ ତିଆରି ଲାଗି ଯେତିକି ଶ୍ରମ ଓ ସମୟ ଦେବାକୁ ହୁଏ ସେ ତୁଳନାରେ ଚିତ୍ରକରକୁ ସେତିକି ମୂଲ୍ୟ ମିଲେ ନାହିଁ। ଅର୍ଥନୈତିକ ଦୃଷ୍ଟିରୁ ଲାଭ ନ ମିଳିଲେ ଯୁବ ପିଢି ଏହାକୁ ଶିଖିବେ କାହିଁକି?

୧୦. ପାରମ୍ପରିକ କଳା ଓ କୌଳିକ ଦକ୍ଷତା ଭାବରେ ଏହାକୁ ବିକଶିତ କରି ‘ଗଂଜପା’ ର ବଜାର ସୃଷ୍ଟି କରା ଯାଇ ପାରିବ। ଏହି ଲୁପ୍ତ ପ୍ରାୟ ଚିତ୍ରକର ପରମ୍ପରାର ସୁରକ୍ଷା ଲାଗି ସ୍ବତନ୍ତ୍ର ଯୋଜନାର ଆବଶ୍ୟକତା ରହିଛି।

ସୌଜନ୍ୟ:  ଓଡିଶା ଡଟ କମ

Most Popular

To Top