ମନୋରଞ୍ଜନ

ଶୀତଳ ଷଷ୍ଠୀ ଯାତ୍ରା –ଯାହା ଆପଣ ଜାଣିବାକୁ ଚାହାନ୍ତି!

Reading Time: 0 minutes
Sital_Sasthi - Mukha Nacha-pic Ramakanta pradhan-facebook

ସଂବଲପୁର ଶୀତଳ ଷଷ୍ଠୀ ପର୍ବ ସମୟର ଏକ ଦୃଶ୍ୟ ଫଟୋ: ରମାକାନ୍ତ ପ୍ରଧାନ ଫେସବୁକ ପୋଷ୍ଟ

କେଦାର ମିଶ୍ର

ଶିବ ଓ ଶକ୍ତିଂକ ମିଳନ କୁ ମହା ଜାଗତିକ ଓ ଦିବ୍ୟ ମିଳନ ବୋଲି କୁହାଯାଇଥାଏ। ସୃଷ୍ଟି ତଥା ସଂହାରର କାରଣ ରୂପରେ ଶିବଂକୁ ଭାରତୀୟ ମାନେ ଆରାଧନା କରନ୍ତି। ତେବେ ଶକ୍ତିଂକ ବିନା ସହଯୋଗରେ ସୃଷ୍ଟି ପ୍ରକ୍ରିୟା ସମ୍ଭବ ହୁଏ ନାହିଁ।

ଶକ୍ତି ଶିବଂକ ପିଣ୍ଡରେ ମିଳିତ ନ ହେବା ପର୍ଯନ୍ତ ସର୍ଜନା ସଫଳ ହୁଏ ନାହିଁ। ତେଣୁ ଆବାହମାନ କାଳ ରୁ ଶକ୍ତି ଓ ଶିବଂକ ପରିଣୟ କୁ ଉତ୍ସବ ରୂପେ ଆମେ ପାଳନ କରିଥାଉ। ଭାରତୀୟ ଓ ଉତ୍କଳୀୟ ପରମ୍ପରାରେ ଶିବ ପାର୍ବତୀଂକ ବିବାହ କୁ ଶୀତଳ ଷଷ୍ଠୀ ଭାବରେ ପାଳନ ପାଳନ କରାଯାଇଥାଏ।

ବିଶେଷ କରି ସମ୍ବଲପୁର ସହର ଓ ପଶ୍ଚିମ ଓଡିଶାର ବିଭିନ୍ନ ଶୈବ ପୀଠ ମାନଂକରେ ଶୀତଳ ଷଷ୍ଠୀ ପର୍ବ ମହା ସମାରୋହରେ ପାଳିତ ହୋଇଥାଏ। ଏହି ଉତ୍ସବ କୁ ନେଇ କେତୋଟି ପ୍ରମୁଖ ବିନ୍ଦୁ କୁ ଆସନ୍ତୁ ଜାଣିବା।

୧. ଜ୍ୱେଷ୍ଠ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥିରେ ଶିବ ପାର୍ବତୀଂକ ବିବାହ ସମାପିତ ହୋଇଥିବାର ପୌରାଣିକ ମାନ୍ୟତା ରହିଥିବାରୁ ସେହି ଦିନ ଏହି ଦିବ୍ୟ ଦମ୍ପତ୍ତିଂକ ବିବାହ ଉତ୍ସବ ଆୟୋଜନ କରାଜାଇଥାଏ। ଶିବ ଓ ଶକ୍ତି ପୂଜା ସହିତ ଭାରତର ବୈଦିକ, ଦ୍ରାବିଡ ଓ ଶବର ପରମ୍ପରାର ସମନ୍ବୟ ଘଟିଥିବାରୁ ଶୀତଳ ଷଷ୍ଠୀ ଯାତ୍ରାରେ ବହୁ ସଂସ୍କୃତିର ମିଳନ ଦୃଶ୍ୟମାନ ହୁଏ।

୨. ତାରକାସୁର କୁ ବଧ କରିବାକୁ ଶିବ ବିବାହ ନିତାନ୍ତ ଆବଶ୍ୟକ ବୋଲି ଦେବତା ମାନେ ଜାଣିଥିଲେ। କିନ୍ତୁ ସେତେବେଳେ ଶିବ ନିଜ ପ୍ରଥମ ସ୍ତ୍ରୀ ଦକ୍ଷ କନ୍ୟା ସତୀଂକ ବିୟୋଗରେ ଗଭୀର ତପସ୍ୟା ରେ ନିମଗ୍ନ ରହିଥାଆନ୍ତି। ପୁଣି ଥରେ ଶିବଂକୁ ଆସକ୍ତ କରିବାକୁ ମହାଶକ୍ତି ହିମାଲୟଂକ କନ୍ୟା ରୂପେ ଜନ୍ମ ଗ୍ରହଣ କରନ୍ତି।

ପାର୍ବତୀଂକ କଠୋର ତପସ୍ୟା ଥିଲା ଶିବଂକୁ ବର ରୂପେ ବରଣ କରିବା ପାଇଁ। ପରିଶେଷ ରେ ପାର୍ବତୀଂକ ତପସ୍ୟା ରେ ସନ୍ତୁଷ୍ଟ ହୋଇ ଶିବ ପାର୍ବତୀଂକୁ ବିବାହ କରିଥିଲେ।

୩. ଶିବ ବିବାହ କୁ ନେଇ ବହୁ ଚମକପ୍ରଦ ଓ ଚର୍ଚିତ କାହାଣୀ ଶିବ ପୁରାଣ ସମେତ ଅନ୍ୟାନ୍ୟ ପୁରାଣ ରେ ରହିଛି। ବିବାହ ପୂର୍ବରୁ ପାର୍ବତୀଂକ ନିଷ୍ଠା ପରୀକ୍ଷା କରିବାକୁ ଯାଇ ଶିବ ଅତ୍ୟନ୍ତ ବିକୃତ ରୂପ ଗ୍ରହଣ କରି ବର ବେଶରେ ଆସିଥିଲେ। ତାଂକର ବିକୃତ ଓ ବିଭତ୍ସ ବେଶ ବର୍ନନା “କଳସା ଚୌତିଶା “ ରେ ଦେଖିବାକୁ ମିଳେ ।

୪. ବରଯାତ୍ରୀ ଭାବରେ ଶିବଗଣ ଅତ୍ୟନ୍ତ ଉଦ୍ଦଣ୍ଡ ଓ ଅଦ୍ଭୁତ ଭାବରେ ହିମାଲୟ ରେ ପ୍ରବେଶ କରିଥିଲେ। ଭୁତ, ପିଶାଚ, ଡାକିନୀ, ବେତାଳ, ନନ୍ଦୀ, ଭୃଂଗୀ, ଯକ୍ଷ ଓ କିନ୍ନର ମାନେ ବରଯାତ୍ରୀ ଭାବେ ଯାଇଥିବାରୁ ତାହା ଏକ ବିଚିତ୍ର ଶୋଭାଯାତ୍ରା ରେ ପରିଣତ ହୋଇଥିଲା। ସେହି ସ୍ମୃତିରେ ଆଜି ମଧ୍ୟ ଶିବ ବର ଯାତ୍ରା ରେ ଅଦ୍ଭୁତ ଚରିତ୍ର ଓ ବେଶ ଭୂଷା ର ଚରିତ୍ର ମାନଂକୁ ଦେଖିବାକୁ ମିଳେ ।

୫. ସମ୍ବଲପୁର୍ ଶୀତଳ ଷଷ୍ଠୀ ଯାତ୍ରାରେ ଲୋକ ପରମ୍ପରା ଓ ଶାସ୍ତ୍ରିୟ ପରମ୍ପରା ର ସୁନ୍ଦର ମିଶ୍ରଣ ଘଟିଥାଏ। ବିବାହ ଉତ୍ସବ ରେ ଲୌକିକ ପରମ୍ପରା ର ପ୍ରଭାବ ଏତେ ବେଶୀ ଯେ ଶିବ ଓ ପାର୍ବତୀ ସାଧାରଣ ବର କନ୍ୟା ପାଲଟି ଯାନ୍ତି।

୬. ୪୦୦ ବର୍ଷ ତଳେ ଚୌହାଣ ରାଜା ଅଜିତ ସିଂ ଏହି ପରମ୍ପରା ଆରମ୍ଭ କରିଥିଲେ ବୋଲି କୁହାଯାଏ। ଶିବ ଓ ଶକ୍ତି ପରମ୍ପରା ସହ ଆଦିବାସୀ ପରମ୍ପରାକୁ ସମନ୍ବିତ କରିବା ଉଦ୍ଦେଶ୍ୟରେ ଏହି ଯାତ୍ରାରେ ସବୁ ବର୍ଗ ଓ ଗୋଷ୍ଠୀ ର ପ୍ରତିନିଧିତ୍ଵ ରହିଛି। ଜାତି, ଧର୍ମ ଓ ଲିଂଗଗତ ବୈଷମ୍ୟ ଏହି ଯାତ୍ରା ରେ ବିଲକୁଲ୍ ଦେଖିବାକୁ ମିଳେ ନାହିଁ।

୭. ଶୀତଳ ଷଷ୍ଠୀ ଯାତ୍ରାରେ ତୃତୀୟ ଲିଂଗ ବା କିନ୍ନର ମାନେ ଶହ ଶହ ସଂଖ୍ୟାରେ ଯୋଗଦାନ କରିଥାନ୍ତି। ପଶ୍ଚିମ ଓଡିଶାରେ ଏହି କିନ୍ନର ମାନଂକୁ ରଂଗ ବୋଲି କୁହା ଯାଇଥାଏ। ବର ଯାତ୍ରା ଓ ବିବାହ ପରବର୍ତ୍ତୀ ଶୋଭାଯାତ୍ରା ରେ କିନ୍ନର ମାନେ ଅଂଶ ଗ୍ରହଣ କରିଥାନ୍ତି।

. ଶୀତଳ ଷଷ୍ଠୀ ଯାତ୍ରାରେ ସାଧାରଣ ବିବାହ ଉତ୍ସବ ପରି ଥାଳ ଉଠା, ଦେବ ନିମନ୍ତ୍ରଣ, ଗୁଆ ଗୁଣ୍ଡା , ପତରପେଣ୍ଡି, ମଂଗନ, ଗଣଶନ, ବରଯାତ୍ରା, ହାତ ଗନ୍ଥୀ, କନ୍ୟା ଦାନ ଓ ବିଦାୟୀ ପରି ଲୌକିକ ଆଚାର ଦେଖିବାକୁ ମିଳେ। ସମ୍ବଲପୁର୍ ର ନନ୍ଦ ପଡା ଓ ଝାଡୁଆ ପଡା ସମେତ ଓଡିଶାର ପୁର ପଲ୍ଲୀ ରେ ଏହି ଯାତ୍ରା ଅନୁଷ୍ଠିତ ହୁଏ।

ଲିଂଗରାଜ ମନ୍ଦିର ଓ ପୁରୀ ଶ୍ରୀ ମନ୍ଦିର ରେ ମଧ୍ୟ ଶୀତଳ ଷଷ୍ଠୀ ଯାତ୍ରା ଆୟୋଜିତ ହୋଇଥାଏ।

୯. ଶୀତଳ ଷଷ୍ଠୀ ଯାତ୍ରା ର ଶୋଭା ଯାତ୍ରା ତଥା ସୁଦୃଶ୍ୟ ପରଭା ଦେଖିବାକୁ ଲୋକ ଭିଡ ଜମିଥାଏ। ଲୋକ ନୃତ୍ୟ, ଲୋକ କଳା ଓ ବ୍ୟାବସାୟିକ କଳା ର ଅପୂର୍ବ ସମନ୍ବୟ ଫଳରେ ଏହି ଶୋଭା ଯାତ୍ରା ଅନୁପମ ଦିଶେ।

୧୦. ସମ୍ପ୍ରତି ନୁଆ ଓ ପୁରୁଣା ପରମ୍ପରା ର ସଂଗମ ଭାବରେ ଶୀତଳ ଷଷ୍ଠୀ ଯାତ୍ରାକୁ ଏକ ସାଂସ୍କୃତିକ ମହା ସଂଗମ ବୋଲି ଆମେ କହି ପାରିବା।

ସୌଜନ୍ୟ:  ଓଡିଶା ଡଟ କମ

Most Popular

To Top