ଭ୍ରମଣ

ମହାନଦୀକୁ ନେଇ ଦଶଟି ଅଜଣା ତଥ୍ୟ

Reading Time: 1 minutes

River-Mahanadi

କେଦାର ମିଶ୍ର

ମହାନଦୀ କେବଳ ଓଡିଶା ଓ ଛତିଶଗଡର ସବୁଠୁ ବଡ ନଦୀ ନୁହଁ, ଏହା ପୂର୍ବ ଭାରତର ଜୀବନ ରେଖା। ମହାନଦୀର ମୂଳ ପ୍ରବାହ ଓ ଶାଖା ପ୍ରବାହ ଓଡିଶା ସମେତ ଛତିଶଗଡ , ମହାରାଷ୍ଟ୍ର ଓ ଝାଡଖଣ୍ଡ ରାଜ୍ୟ ଗୁଡିକର ଭୌଗୋଳିକ, ଅର୍ଥନୈତିକ ଓ ସାମାଜିକ ଜୀବନକୁ ପ୍ରଭାବିତ କରିଛି। ମହାନଦୀ କୁ ନେଇ କେତେ କଥା ଓ କାହାଣୀ ଆଜିଯାଏ ସଂକଳିତ ହୋଇପାରିନାହିଁ।

ଏହାର ଉଦଗମ ଠୁଁ ସମୁଦ୍ର ସଂଗମ ପର୍ଯନ୍ତ ଏକ ସୁଦୀର୍ଘ ଯାତ୍ରାପଥରେ ମହାନଦୀ କେଉଁଠି ଦେବୀ ତ ଆଉ କେଉଁଠି ଦେବତାର ଆଶ୍ରୟସ୍ଥଳ ପାଲଟିଛି।

ଓଡିଶାର ଦୁଇ ପ୍ରମୁଖ ଧାର୍ମିକ-ସାଂସ୍କୃତିକ ଧାରା ଯଥା – ଶ୍ରୀଜଗନ୍ନାଥ ଓ ସମଲେଶ୍ଵରୀ ସଂସ୍କୃତି ମହାନଦୀ କୁଳେ କୁଳେ ବିକଶିତ ହୋଇଛି। ମହାନଦୀ ର ପାଣି ଓଡିଶାର ଜନଜୀବନ ଓ ଅର୍ଥନୀତିର ଅପରିହାର୍ୟ ଉପାଦାନ। ମହାନଦୀ କୁ ନେଇ ଆସନ୍ତୁ କିଛି ଅଜଣା ତଥ୍ୟ ଖୋଜିବା-

୧. ଛତିଶଗଡ ର ପୂର୍ବଘାଟ ପର୍ବତମାଳା ହେଉଛି ମହାନଦୀର ଉଦଗମ ସ୍ଥଳ। ଏହାର ଧମତରୀ ଜିଲ୍ଲା ଅନ୍ତର୍ଗତ ଫାରିସିୟା ଗାଁ ର ଏକ ପାହାଡରୁ ଏହାର ପ୍ରଥମ ସ୍ରୋତ ଠାବ କରାଯାଇଛି ।

କ୍ରମେ କ୍ରମେ ଅନେକ ଜଳସ୍ରୋତ ଏକାଠି ହୋଇ ଏହା ଏକ ନଦୀ ର ରୂପ ପାଇଛି ଓ ଛତିଶଗଡର ରାୟପୁର୍ ବାଟ ଦେଇ ଓଡିଶା ଅଭିମୁଖେ ପ୍ରବାହିତ ହେଉଛି। ଛତିଶଗଡର ଅନ୍ୟ ଦୁଇ ଶାଖା ନଦୀ ହଂସଦେଓ ଏବଂ ଶେଓନାଥ୍ ମହାନଦୀରେ ମିଶିବା ଫଳରେ ଏହା ଏକ ବିଶାଳ ନଦୀର ମାନ୍ୟତା ପାଇଛି।

mahanadi2୨. ଲୋକକଥା ଅନୁସାରେ ପୂର୍ବଘାଟ ପର୍ବତମାଳାର ଏହି ସ୍ଥାନରେ ବିଶିଷ୍ଟ ଋଷି ଶ୍ରୁଂଗୀମୁନିଂକ ଆଶ୍ରମ ଥିଲା। ମହାକୁମ୍ଭ ମେଳାରେ ବୁଡ ପକେଇବାକୁ ଏହି ବାଟଦେଇ ଅନେକ ଋଷି ଯାଉଥିଲେ।

ଯିବା ପୂର୍ବରୁ ସେମାନେ ଶ୍ରୁଂଗୀମୁନିଂକ ସହ ସାକ୍ଷାତ କରିବାକୁ ଚାହୁଁଥିଲେ। ଶ୍ରୁଂଗୀ ଗଭୀର ତପସ୍ୟାରେ ନିମଗ୍ନ ଥିବାରୁ ଋଷି ମାନେ ଅପେକ୍ଷା କରି ରହିଲେ। ତଥାପି ମୁନିଂକ ତପ ଭାଂଗିଲା ନାହିଁ । ଶେଷରେ ଅନ୍ୟ ଋଷି ମାନେ ସ୍ନାନ ସାରି ଲୋଟାଏ ଜଳ ଶ୍ରୁଂଗୀ ମୁନିଂକ କମଂଡଳୁରେ ଢାଳି ଦେଇଗଲେ।

ତପ ଭାଂଗିବା ବେଳେ ଶ୍ରୁଂଗୀଙ୍କ ହାତ ବାଜି ଜଳଧାର ବିଛୁଡି ହୋଇପଡିଲା। ସେ ଦିବ୍ୟ ଜଳଧାର ଆଗକୁ ଆଗକୁ ବୋହି ଯାଇ ମହାନଦୀ ରୂପେ ଜନ କଲ୍ୟାଣ ରେ ଲାଗିଲା।

୩. ମହାନଦୀର ସମୁଦାୟ ଲମ୍ବ ୮୬୦-୮୫୫ କିଲୋ ମିଟର ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ଏହାର ଓସାର କମିଛି ଓ ବଢିଛି। ସମ୍ବଲପୁର୍ ଜିଲ୍ଲାରେ ଏହା ଓଡିଶାକୁ ସ୍ପର୍ଶ କରିଛି।

ସମ୍ବଲପୁର ସହର ପୂର୍ବରୁ ଏସିଆର ସର୍ବବୃହତ୍ ମାଟି ବନ୍ଧ ଦେଇ ଅଟକାଯାଇ ଏକ କୃତ୍ରିମ ହ୍ରଦ ନିର୍ମାଣ କରାଯାଇଛି , ଯାହାକି ହିରାକୁଦ ନଦୀ ବନ୍ଧ ନାମରେ ପ୍ରସିଦ୍ଧ।

hirakud୪. ଓଡିଶାରେ ଇବ, ଅଂଗ,ସୁକତେଲ୍, ତେଲ, ବାଘ, ମେହେରୁଣୀ ଇତ୍ୟାଦି ଶାଖା ନଦୀ ମହାନଦୀ ସହ ସଂଯୁକ୍ତ ହେବା ଫଳରେ ଏହା ବିପୁଳ ଗର୍ଭା ଓ ସୁନାବ୍ୟା ହୋଇଛି। ଶହ ଶହ ବର୍ଷ ଧରି ମହାନଦୀ ଅବବାହିକାରେ ଏକ ସମୃଦ୍ଧ ସଭ୍ୟତା ଗଢି ଉଠିଛି।

ପ୍ରାଚୀନ କାଳରେ ମହାନଦୀ ଓ ତେଲବାହ ନଦୀ (ଏବର ତେଲ ନଦୀ) ଜଳ ବାଣିଜ୍ୟ ପାଇଁ ପ୍ରସିଦ୍ଧ ଥିଲା।

୫. ସମ୍ବଲପୁର ରୁ ବୌଦ ପର୍ଯନ୍ତ ମହାନଦୀର ପ୍ରାଚୀନ ନାମ ଚିତ୍ରୋତ୍ପଲା ଥିଲା ବୋଲି କୁହାଯାଏ। ଐତିହାସିକ କାବ୍ୟ “କୋଶଲାନନ୍ଦ” ରେ କବି ଗଂଗାଧର ମିଶ୍ର ମହାନଦୀ- ଚିତ୍ରୋତ୍ପଲା କୁ ଗଂଗା ପରି ପବିତ୍ର ଓ ଏହା କୁଳ ରେ ଥିବା ସୁବର୍ନପୁର ନଗରୀ (ଆଜିର ସୋନପୁର ସହର) କୁ ଦ୍ଵିତୀୟ ବାରାଣସୀ ବୋଲି ବର୍ଣନା କରିଛନ୍ତି।

ସମ୍ବଲପୁର୍, ବିନିକା, ସୋନପୁର୍ ଓ ବୌଦ ସହର ଗୁଡିକରେ ପ୍ରାଚୀନ କାଳରୁ ବୌଦ୍ଧ, ଜୈନ, ତନ୍ତ୍ର, ଶୈବ ଓ ବୈଷ୍ଣବ ସଂସ୍କୃତିର ମହାସଂଗମ ଦେଖିବାକୁ ମିଳେ ।

୬. ବିନିକା ପାଖରେ ମହାନଦୀ କୁଳରେ ଏକ ପ୍ରାଚୀନ ବରଗଛ ରହିଛି। ସୁର୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ କାଳରେ ମହାନଦୀରେ ବୁଡ ପକାଇ ଏହି ବରଗଛର ସଂକୀର୍ଣ କୋଟର ଅତିକ୍ରମ କଲେ ସବୁ ପାପ କ୍ଷୟ ଯାଏ ବୋଲି ଲୋକ ବିଶ୍ଵାସ ରହିଛି।

ଗଂଗ ବଂଶର ରାଜା ଅନଂଗ ଭୀମ ଦେବ ଏହି ସ୍ଥାନ ରେ ସ୍ନାନ କରି ଦୁରାରୋଗ୍ୟ ବ୍ୟାଧି ରୁ ମୁକ୍ତି ପାଇଥିବାରୁ ଓ ଏହି ଠାରେ ତାଂକ ପାପ ରହିତ ହୋଇଥିବାରେ , ମହାନଦୀକୁଳର ଏହି ତୀର୍ଥ ଗ୍ରାମ ର ନାମ ହେଉଛି “ରହିଲା”।

୭. ସୋନପୁରରେ ତେଲ ଓ ଜୀର୍ଣ ନଦୀ ମହାନଦୀ ସହ ମିଳିତ ହୋଇଥିବାରୁ ଏହାକୁ ତ୍ରିବେଣୀ ସଂଗମ ବୋଲି କୁହାଯାଏ। ଏଠାରେ ବହୁ ପ୍ରାଚୀନ ଶିବ ଓ ଶକ୍ତି ପୀଠ ରହିଛି। ଏକଦା ଏହା ସୋମବଂଶୀ ଶାସକ ମାନଂକର ରାଜଧାନୀ ଥିଲା ବୋଲି ଐତିହାସିକ ମାନେ ମତ ଦିଅନ୍ତି। ଏହା ନିକଟରେ ମହାନଦୀ ଗର୍ଭରେ ଅସୁରଗଡ ନାମକ ଏକ ଟାପୁ ରହିଛି।

ଏହାର ପ୍ରତ୍ନତାତ୍ଵିକ ଖନନରୁ ଏଠାରେ ବହୁ ପ୍ରାଚୀନ ଏକ ସଭ୍ୟତା ରହିଥିବାର ପ୍ରମାଣ ମିଳେ ।

୮. ବୌଦ ପାରିହେଲା ପରେ ମହାନଦୀ ପ୍ରାୟ ୭ କୋଷ (୬୪ କିଲୋମିଟର) ବ୍ୟାପୀ ଏକ ଗଭୀର ଗଣ୍ଡ ସୃଷ୍ଟି କରିଛି। ଏହା ସତକୋଶିଆ ଗଣ୍ଡ ନାମରେ ପରିଚିତ। ଏହି ଗଣ୍ଡରେ କୁମ୍ଭୀର ଅଭୟାରଣ୍ୟ ଓ କୁଳରେ ବାଘ ଅଭୟାରଣ୍ୟ ରହିଛି।

୯. ସାତକୋଶିଆ ପରେ ମହାନଦୀ ର ଓସାର ଅନେକ ପରିମାଣରେ ବ୍ୟାପକ ହେବା ସହ ଏହା ଅନେକ ଉପନଦୀ ସୃଷ୍ଟି କରିଛି। କାଠଯୋଡି, ବିରୁପା, ପାଇକା , ଚିତ୍ରୋତ୍ପଲା ଇତ୍ୟାଦି ମହାନଦୀ ରୁ ସୃଷ୍ଟି ହୋଇ ଭିନ୍ନ ଭିନ୍ନ ଦିଗକୁ ପ୍ରବାହିତ ହେଉଛନ୍ତି। କଟକ ଜିଲ୍ଲାରେ ମହାନଦୀ ଏକ ବିଶାଳ ତ୍ରିକୋଣଭୁମୀ ସୃଷ୍ଟି କରି ବଂଗୋପ ସାଗରରେ ମିଶିଛି।

୧୦. କଂଟିଲୋ ଠାରେ ମହାନଦୀ କୁଳରେ ଶ୍ରୀ ଜଗନ୍ନାଥ ନୀଳମାଧାବ ରୁପେ ଶବର ମାନଂକ ଦ୍ଵାରା ପୂଜିତ ହେଉଥିଲେ ବୋଲି କୁହାଯାଏ। ମହାନଦୀ ସହିତ ଜଗନ୍ନାଥ ସଂସ୍କୃତିର ନିବିଡ ସମ୍ପର୍କ ରହିଛି।

ମହାନଦୀ ଓଡିଶାର କଳା, ସ୍ଥାପତ୍ୟ, ସାହିତ୍ୟ, ସଂଗୀତ ଓ ଜନ ଜୀବନରେ ଜୀବନରେଖା ପରି ପ୍ରବାହିତ ହେଉଛି।

ସୌଜନ୍ୟ: ଓଡିଶା ଡଟକମ

Most Popular

To Top